22/08/2026
🌿 ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ 🌿
ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି ପରିସରରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ହର୍ଷୋଲ୍ଲାସ, ଆନନ୍ଦ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ପବିତ୍ର ଅବସରରେ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।
ଆଶୀର୍ବଚନରେ ପୂଜ୍ୟପାଦ ଗୁରୁଦେବ କହିଥିଲେ —
“ବିଦ୍ୟା ମନୁଷ୍ୟକୁ ବିନୟୀ କରେ। କେବଳ ଶିକ୍ଷିତ କରିବା ନୁହେଁ, ସମାଜରେ ଆଦର୍ଶ, ନୈତିକ ଓ ଦାୟିତ୍ୱବାନ ମନୁଷ୍ୟ ଗଢ଼ି ତୋଳିବା ହେଉଛି ବିଦ୍ୟା ମନ୍ଦିରର ମୂଳ ଲକ୍ଷ୍ୟ।”
ଏହି ପ୍ରେରଣାଦାୟକ ବାଣୀ ନବାଗତ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ, ଆତ୍ମବିଶ୍ୱାସ ଓ ଉଚ୍ଚ ଆଦର୍ଶର ସଞ୍ଚାର କରିଥିଲା। ବିଦ୍ୟା ମନ୍ଦିରର ସଭାପତି ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀ, ପ୍ରାଚାର୍ଯ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ଆଡମିଶନ୍ ଇନ୍ଚାର୍ଜ ନଟରାଜ ଠାକୁରଙ୍କ ସମେତ ଅଧ୍ୟାପକ-ଅଧ୍ୟାପିକା, କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।
ନବାଗତ ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ ସହିତ ଶିକ୍ଷା, ଶୃଙ୍ଖଳା, ସଂସ୍କାର, ନୈତିକତା ଓ ଆଧ୍ୟାତ୍ମିକ ଚେତନାର ସମନ୍ୱୟରେ ଏକ ଉତ୍ତମ ମାନବୀୟ ପିଢ଼ି ଗଢ଼ିବାର ସଙ୍କଳ୍ପ ଏହି ଉତ୍ସବରେ ପ୍ରତିଫଳିତ ହୋଇଥିଲା।
ଛାତ୍ରଛାତ୍ରୀମାନଙ୍କ ମନୋଜ୍ଞ ସାଂସ୍କୃତିକ ପରିବେଷଣ ଉତ୍ସବର ଆନନ୍ଦକୁ ଆହୁରି ଦ୍ୱିଗୁଣିତ କରିଥିଲା। ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ସଂଯୋଜକ ସମ୍ବିତ୍ କୁମାର ସଂଯୋଜନା କରିଥିବା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନୂତନ ଶିକ୍ଷାବର୍ଷର ଏହି ନୂତନ ଯାତ୍ରା ସମସ୍ତ ଛାତ୍ରଛାତ୍ରୀଙ୍କ ଜୀବନରେ ଜ୍ଞାନ, ସଂସ୍କାର, ସଫଳତା ଓ ଆତ୍ମବିକାଶର ଆଲୋକ ଭରିଦେଉ — ଏହାହିଁ ପ୍ରାର୍ଥନା। 🙏🌺