FIGHT for EXAM
USEFUL INFORMATION FOR CT,B.ED,OTET,AND JOB UPDATE, VARIOUS COMPETITIVE EXAM
ଗୋଟାଏ ଅନୁଭବ... କଥା
ମୋବାଇଲ୍ ବିନା ପାଞ୍ଚ ମିନିଟ୍..
ମଟର ସାଇକେଲରେ ବସି ବାହାରିଲି ଚୁଟି କାଟିବାକୁ....
ସେଲୁନ, ଗୋଟାଏ କିଲୋମିଟର ହେବ ଆମ ଘରଠୁ। ଭିଡ ଭାଡ ନାହିଁ। ଦେଢ ମିନିଟ ଭିତରେ ମୁଁ ପହଞ୍ଚି ଗଲି ସେଲୁନ ପାଖରେ। ମୋ ଆଗରେ ପାଞ୍ଚ ଜଣ, ଅପେକ୍ଷା କରି ଥାଆନ୍ତି କେତେବେଳେ ତାଙ୍କ ପାଳି ପଡିବ। ସମସ୍ତେ ମୋବାଇଲ୍ ଦେଖିବାରେ ବ୍ୟସ୍ତ। କିଏ ଇଉ ଟିଉବ, ତ କିଏ ଫେସବୁକ୍ ରେ, କିଏ ଇନଷ୍ଟାଗ୍ରାମ ରେ। ମୁଁ ବି ସେତିକି ଆଡିକ୍ଟେଡ୍, ବିଶେଷ କରି ଛୁଟି ଦିନରେ । ମୁଁ ମୋ ମୋବାଇଲ୍ ଘରେ ଛାଡି ଆସିଛି ବୋଲି ଜାଣିଲା ବେଳକୁ ଗମ୍ ଗମ୍ ଝାଳ ବୋହିବାକୁ ଲାଗିଲା। ଘରେ ସୁଜାତା ଅଛନ୍ତି, ସେ ବି ପାଗଳ ହେଇଯିବେ ମୋ ପାଖରେ ମୋବାଇଲ୍ ନାହିଁ ଜାଣିକି...
ମୁଁ କିନ୍ତୁ ସୁଜାତାଙ୍କ ପାଇଁ ସେତେ ବ୍ୟସ୍ତ ନ ଥିଲି, ବ୍ୟସ୍ତ ଥିଲି ଅଧଘଣ୍ଟା କିପରି କଟେଇବି ବିନା ଇଉଟିଉବ, ବିନା ଫେସବୁକ୍, ବିନା ଇନସ୍ଟାଗ୍ରାମ ରେ।
ମୋ ବ୍ୟସ୍ତତା ଦେଖି ଜଣେ ଗ୍ରାହକ ଦୟା ପରବଶ ହେଇ କହିଲେ ସାର୍ ଆପଣ ମୋବାଇଲ୍ ଛାଡି ଆସିଛନ୍ତି ପ୍ରାୟ... ଏମିତି କଣ କେହି ମୋବାଇଲ୍ ଛାଡି ଆସେ।
ଟିକେ କଥା ହେଇ ପାରିବି କି ମୋ ସ୍ତ୍ରୀଙ୍କ ସହିତ, ମୁଁ ମୋବାଇଲ୍ ଛାଡି ବଜାରକୁ ଚାଲି ଆସିଛି ବୋଲି ଭାରି ବ୍ୟସ୍ତରେ ଥିବ।
ହସି ଦେଇ କହିଲେ.. କ୍ଷମା କରିବେ ସାର୍, ଆଜି କାଲି ବହୁତ୍ ଫ୍ରଡ ହେଉଛି ତ...
ଠିକ୍ ଅଛି କହି... ଦୁଇ ମିନିଟ ବସି ରହିଲି। ସମସ୍ତଙ୍କଠୁ ମୁଁ ଟିକେ ଅଲଗା (ଓଡ ମେନ୍ ଆଉଟ୍) ଲାଗୁ ଥିଲି ସେଦିନ। ସମସ୍ତେ ଯେ ଯାର ମୋବାଇଲ୍ ସ୍କ୍ରିନ ଉପରେ। ମୁଁ ବୋକା ପରି ଇଆଡ଼େ ସିଆଡେ ଅନାଉଥିଲି।
ଛୁଟି ଦିନରେ ଏତେ ଲମ୍ବା ସମୟ ପାଞ୍ଚ ମିନିଟରୁ ଉର୍ଦ୍ଧ ସମୟ ବିନା ମୋବାଇଲ୍ ରେ ରହିବା ଘଟଣା ସ୍ମାର୍ଟ ଫୋନ୍ ଆସିବା ପାଖରୁ ପ୍ରାୟ ଘଟିନି ମୋ ସାଥିରେ। ମୁଁ ପାଗଳ ହେଇଗଲି ବିନା ମୋବାଇଲ୍ ରେ। ସିଧା ମଟର ସାଇକେଲ ଧରି ଘର ମୁହାଁ ଚାଲିଲି।
ଗୋଟାଏ ମିନିଟ୍ ଭିତରେ ଚାଳିଶ ବର୍ଷ ତଳର କିଛି ଘଟଣା ଗୋଳେଇ ଘାଣ୍ଟି ହେଲା ମୋ ମନ ଭିତରେ...
କେଉଁଝରରେ ପଢୁଥିଲି। ମେଲେରିଆ କଣ ଜାଣି ନ ଥିଲି, ସମସ୍ତେ କହିଲେ ବ୍ରେନ୍ ମେଲେରିଆ। ବ୍ରେନ୍ ମେଲେରିଆ କଣ ବୁଝି ନ ଥିଲି।ଡାକ୍ତର କହିଲେ ଅବସ୍ଥା ସିରିଅସ୍। ଡାକ୍ତର ମେଲେରିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ହାଇ ପାୱାର ମେଡିସିନ ଦେଇଥିଲେ ବୋଲି ସାଙ୍ଗ ମାନଙ୍କଠୁ ଶୁଣିଥିଲି। ପ୍ରାୟତଃ ଅଚେତ୍ ଅବସ୍ଥାରେ ଥିଲି ହଷ୍ଟେଲ ରୁମ୍ ଭିତରେ।
ନ ଦିନ ପରେ ହଠାତ୍ ଦିନେ ଦେଖିଲି ମଶାରୀ ଟେକି କିଏ ଜଣେ ମୋତେ କୁଣ୍ଢେଇକି କାନ୍ଦୁଛନ୍ତି। ମୋ ଆଖି ବୋଧେ ଶୁଖି ଯାଇଥିଲା, ମୁଁ କାନ୍ଦି ପାରୁ ନ ଥିଲି।
ଖାଲି ଅନୁମାନ କରି ଜାଣି ପାରିଲି ମୋ ବାପା ମୋତେ କୁଣ୍ଢେଇ ଧରିଛନ୍ତି ବ୍ୟାକୁଳତାର ସହିତ।
ପଚାରିଲି ବାପା କେମିତି ତୁମେ ଜାଣିଲ ଯେ ମୁଁ ଅସୁସ୍ଥ ବୋଲି...!!!
ସେ କହିଲେ ତୋର କିଏ ଜଣେ ସାଙ୍ଗ ଟେଲିଗ୍ରାମ କରିଥିଲା। ତୁ ସିରି ଅସ୍ ବୋଲି।
କାହିଁକି କେଜାଣି ବାପାଙ୍କ ଲୁହରେ ମୋ ଦେହଟା ସମ୍ପୂର୍ଣ୍ଣ ଭିଜି ଯିବା ପରେ ମୁଁ ସୁସ୍ଥ ହେଇଗଲି ଯେମିତି... କେତେ କରାମତି ବାପାଙ୍କ ଲୁହରେ।
ମୁଁ ତାଜା ହେଇ ଖଟରେ ବସିଲି।
ତା ପରଠୁ ଆଉ ମେଲେରିଆ ଜ୍ଵର ମୋତେ କେବେ ହୋଇନି।
ଆଜି ପର୍ଯ୍ୟନ୍ତ ମୁଁ ଜାଣି ନାହିଁ, ମୋର କୋଉ ଜଣେ ଅଜଣା ଯୁବକ ହଷ୍ଟେଲ ରେଜିଷ୍ଟରରୁ ଠିକଣା ନେଇ ମୋ ବାପାଙ୍କୁ ଟେଲିଗ୍ରାମ କରିଥିଲା ଯେ "ଶୀଘ୍ର ଆସ, ତମ ପୁଅ ଭାରି ଅସୁସ୍ଥ"। କିଏ ମୋ ଔଷଧ କଥା ବୁଝିଲା, କିଏ ମୋତେ କଣ ଖାଇବାକୁ ଦେଲା କିଛି ମନେ ନାହିଁ। ଖାଲି ମନେ ଅଛି କେତେ ନିଃସ୍ଵାର୍ଥପର ଥିଲେ ମୋ ଅଜଣା ସାଙ୍ଗ ମାନେ....ହଷ୍ଟେଲ ଭିତରେ।
ମାତ୍ର ଚାଳିଶ ବର୍ଷ ପରେ ସ୍ମାର୍ଟ ଫୋନ୍ ଯୁଗରେ ସମୟ କେତେ ସ୍ମାର୍ଟ ହେଇ ଯାଇଛି, ମିସେସ ସାଥିରେ କଥା ହେବି ବୋଲି ସ୍ମାର୍ଟ ଅଜଣା ଯୁବକ ଜଣଙ୍କ ଅନୁମତି ଦେଲେନାହିଁ, କୁଆଡେ ତାଙ୍କ ସହିତ ଫ୍ରଡ ହେଇଯିବ...???
କେତେ ବଦଳି ଯାଇଛି ଏଇ ସମୟ...
ସ୍ମାର୍ଟ ଫୋନ୍ ସାଥିରେ ଯୁଗ ସ୍ମାର୍ଟ ହେଲା ବେଳକୁ ଭରସା, ବିଶ୍ୱାସର ଅଧପତନ ବି ଘଟିଛି । ଚାଳିଶ ବର୍ଷ ତଳେ ମୋ ହଷ୍ଟେଲ୍ ର ଅଜଣା ସାଙ୍ଗଠୁ ଆରମ୍ଭ କରି ସେଲୁନ୍ ପାଖରେ ଅଜଣା ଜଣେ ସ୍ଥାନୀୟ ଯୁବକ ପାଖରୁ ସାହାଯ୍ୟ ଟିକେ ନ ପାଇବାର ମୁହୂର୍ତ୍ତ ଭିତରେ ଜୀବନ ଦର୍ଶନ କେତେ ବଦଳି ଯାଇଛି। ସେଦିନ ଟେଲିଗ୍ରାମ ପାଇ ବାପା ଖୋଜି ଖୋଜି ମୋତେ ଆସି କୁଣ୍ଢେଇ ପକେଇବାର ଯୋଉ ମଜା ଥିଲା, ଆଜି ହଷ୍ଟେଲ ରେ ଥାଇ ପୁଅ ଫୋନ୍ କରି ଦେହ ଖରାପ ଅଛି କହିଲେ, ଫୋନରେ ଆମେ କହି ଦେଉ ବେଟା ଟେକ୍ କେଆର, ପାରାସିଟାମଲ୍ ଖାଇ ନେବୁ। ବେଶି ହେଲେ କାଲି ଡାକ୍ତର ଦେଖେଇ ଦେ... ସେଥିରେ କଣ ମଜା ଅଛି। ଆଜିର ହାଇ ଟେକ ସ୍ମାର୍ଟ କମ୍ୟୁନିକେସନ କେତେ ସର୍ଟକଟ କରିଦେଇଛି ଆମ ସମ୍ପର୍କକୁ। ଆନ୍ତରିକତା ଝାପସା ଝାପସା ହେଇ ଯାଇଛି।
ଘରେ ପହଞ୍ଚିଲା ବେଳକୁ ସୁଜାତା କହୁଥିଲେ, ଫୋନ୍ ଛାଡି ଯାଇଛ। ଆଳୁ, ରସୁଣ, ଧନିଆପତ୍ର ଆଣିବାକୁ ଫୋନ୍ କରିଲା ବେଳକୁ ଦେଖିଲି ଫୋନ୍ ନେଇ ନାହଁ। ଏଇଠି କୋଉଠି ବାଜୁଛି।
ଓଃ.. ପାଞ୍ଚ ମିନିଟ୍ ଫୋନ୍ ନେଇ ନାହିଁ ବୋଲି ଏତେ କଥା। କିନ୍ତୁ ଫୋନ୍ ନ ଥିଲା ବୋଲି କୋଉ ଜଣେ ଅଜଣା ସାଙ୍ଗଠୁ ଟେଲିଗ୍ରାମ ପାଇ ମୋ ବାପା ମୋ ପାଇଁ ଧାଇଁ ଆସି ମୋତେ କୁଣ୍ଢେଇ ଧରି କାନ୍ଦିବା କଥା ମନେ ତ ପକେଇ ପାରିଲି। ନଚେତ୍ ସାରା ସମୟ ଏଇ ଫୋନ୍ ଭିତରେ ରହି ଆମେ ଗୌରବମୟ ଓ ସ୍ୱର୍ଣିଳ ଅତୀତକୁ କେତେ ହରେଇ ବସିଛେ ଭାବିଲା ବେଳକୁ ସୁଜାତା ମୋତେ ଫୋନ୍ ଧରେଇ ଦେଇ କହିଲେ ଯାଅ, ଶୀଘ୍ର ନେଇ ଆସ, ମାଂସ ରାନ୍ଧିବି। ଆଉ ଯଦି କିଛି ମନେ ପଡେ, କହିବି... ଫୋନ୍ ପାଖେ ପାଖେ ରଖିବ... ଛାଡ଼ିବନି କୋଉଠି !!!
ଏନ୍ ନନ୍ଦି
# # ବାପା # #
ଆଜି ରବିବାର ଛୁଟି ଥିବାରୁ ମନୋଜ ବଜାର କରି ଘରକୁ ଫେରୁଥିଲା।ଦୁଇ ହାତରେ ଦୁଇଟା ବ୍ୟାଗ୍ ।ସପ୍ତାହକ ପାଇଁ ପନିପରିବା ଥିଲା ଦୁଇ ବ୍ୟାଗରେ ।ତଳେ ବ୍ୟାଗ ଗୁଡିକ ରଖିଦେଇ ଝାଳ ପୋଛୁଥିଲା ସେ ।ହାତରେ ନୁଆଁ ଶାଢୀ ଟିଏ ଧରି ଆନନ୍ଦରେ ଧାଇଁ ଆସିଲେ ସ୍ତ୍ରୀ ମନୋରମା ।"ଦେଖିଲ, ସୋନୁ ଏଇ ଶାଢୀଟି ଅନଲାଇନରେ ମୋ ପାଇଁ ମଗେଇ ଦେଇଛି ।"ଖୁବ ଖୁସି ଥିଲେ ସେ ।ଅବଶ୍ୟ ୟା ଆଗରୁ ବି ଦି'ତିନୋଟି ଶାଢୀ ଗିଫ୍ଟ କରିଛି ସେ ।ମନୋଜ ଯେତେ ଶାଢୀ କିଣିଲେ ବି ରମା ପସନ୍ଦ କରନ୍ତିନି ।କିନ୍ତୁ ପୁଅ ଦେଇ ଥିବା ସବୁ ଶାଢୀକୁ ପଡୋଶୀ ମାନଙ୍କୁ ଘର ଘର ବୁଲି ଦେଖାଇ କହନ୍ତି,"ଏଇଟା ମୋ ପୁଅ ଆଣିଦେଇଛି"।"ମନୋଜ କହିଲା ,"ହଁ ,ସେ ତୁମର ଗେହ୍ଳା ପୁଅ।ତୁମେବି କିଛି କମ କରୁନ ତା ପାଇଁ ।ଦିନରାତି ଜଗି ବସିଛ ,କେତେବେଳେ ଲନ୍ଚ କରିବ କେତେବେଳେ ବ୍ରେକଫାଷ୍ଟ କରିବ ।' କରୋନା ପରଠୁଁ ଆସି ଘରେ ରହି କାମ କରୁଛି ପୁଅ ସୋନୁ ।ପୁଅ ମାନେ ମାଁ ମାନଙ୍କୁ ଟିକିଏ ଅଧିକ ଭଲ ପାଆନ୍ତି ।ସେମାନଙ୍କ ମତରେ ବାପାମାନଙ୍କର ହୃଦୟ ସବୁ କଠୋର ।ଋକ୍ଷ ବ୍ୟବହାର କରନ୍ତି ସେମାନେ ।ମନୋଜ ଭାବୁଥିଲା ତା ପୁରୁଣା ଦିନର କଥା......।
ଗାଁ ହାଇସ୍କୁଲ ରେ ଶିକ୍ଷକ ଥିଲେ ବାପା । ସମସ୍ତେ କହନ୍ତି ,ଅନୁଶାସନହୀନତାକୁ ସେ ଆଦୌ ପସନ୍ଦ କରନ୍ତିନି ।ଘରେ ବି ଠିକ ସେମିତି ବ୍ୟବହାର ।ପିଲାଦିନେ ଗଣିତ ଶିକ୍ଷକ ଶରତ ସାର୍ ଙ୍କ ମାଡ ଭୟରେ ପେଟ କାଟୁଚି ବୋଲି ଘରେ ରହିବାକୁ ଚାହିଁଲେ ବୋଉ କହେ ,ହଁ ଆଜି ସ୍କୁଲ ଯା'ନା ।ପରେ ଔଷଧ ଦେବି ,ଭଲ ହେଇଯିବୁ ।ହେଲେ ବାପାଙ୍କ ଲାଲ ଆଖିକୁ ଦେଖି ମୋର ଅଭିନୟ କାମକରେନା।ସ୍କୁଲ ଯିବାକୁ ବାଧ୍ୟ ହୁଏ ।ସେଥିପାଇଁ ବୋଧହୁଏ ମୋର ପାଠପଢାରେ କେବେ ବାଧା ସୃଷ୍ଟି ହୁଏନା ।ଦିନେ ମୋ ବହିବସ୍ତାନି ଦେଖୁ ଦେଖୁ ଦୁଇଟା ପେନସିଲ ଥିବା ଦେଖି ବାପା ପଚାରିଲେ ଅନ୍ୟ ପେନସିଲଟି କାହାର ?ମୁଁ ନୀରବ ରହିଲାରୁ ଏମିତି ଗୋଟିଏ ଥାପଡ ଦେଲେ ଯେ ମୁଁ ଖଣ୍ଡେ ଦୂରରେ
ପଡିଲି ।ଆଜି ପେନସିଲ ଚୋରି କରିଛୁ ,କାଲି ଆଉ କଣ
ଚୋରିକରିବୁ.....।ଜୀବନରେ ଏମିତି ଅନେକ ଶିକ୍ଷା ମିଳିଛି ବାପାଙ୍କ ପାଖରୁ ।ଖାଇବା ଥାଳି ରେ କିଛି ଖାଦ୍ୟ ଛାଡିଦେଲେ,ବହୁତ ଗାଳି ଦେଉଥିଲେ ସେ ।ଅନ୍ନ କୁ ବ୍ରହ୍ମ ବୋଲି କହୁଥିଲେ ।ମୁଁ ପିଲାଥିଲି ।ଏତେ କଥା କଣ ବୁଝିବି?ମାଡ ଭୟରେ ଥାଳି ସଫାକରି ଖାଇଦେଉଥିଲି ।ଆଜି ବଡ ହେଇ ଚାକିରି କଲାପରେ ବୁଝିଲି ଅନ୍ନ ର ମହତ୍ତ୍ବ ।
ବାପାଙ୍କ ପାଖରୁ ଶିଖିଛି ଜୀବନ କଣ ? କେମିତି ସଂଘର୍ଷ କରିବାକୁ ପଡେ ।ସମୟାନୁବର୍ତ୍ତୀତା,ନୈତିକତା ଆଉ ସାଧାରଣ ଜୀବନରେ ସ୍ବଚ୍ଛତା କଣ ବାପା ଶିଖାଇଦେଇଛନ୍ତି ମୋତେ ।ସେଇଥିପାଇଁ ବୋଧହୁଏ,ଆମ ଅଫିସରେ ମୋତେ ଯଥେଷ୍ଟ ସମ୍ମାନ ମିଳେ ।ହେଲେ ମନେ ମନେ ଭାବେ ଏସବୁ ଶିଖାଇବାକୁ ଏତେ କଠୋରତା କଣ ଜରୁରୀ ?ଏତେ ନିଷ୍ଠୁର ହୃଦୟ ହେବା କଣ ଆବଶ୍ୟକ ?ମାଁ କୁ ବି ପଚାରେ
ସେଇକଥା ।
ମୋର ଏଇ ସନ୍ଦେହ ସେଦିନ ଦୁର ହେଲା ,ଯେଉଁଦିନ ଶୁଣିଲି ମୋ ମାଁଙ୍କ ପାଖରୁ ଯେ ପିଲାଦିନେ ମୋ ଦେହ ସାମାନ୍ୟ ଖରାପ ହେଲେ ବି ବାପା ଭାରି ବ୍ୟସ୍ତ ହେଇ ପଡୁଥିଲେ ।ନାନା ଠାକୁରଙ୍କୁ ଡାକି କେତେ ମାନସିକ କରି ପକାଉଥିଲେ ।ରାତି ରାତି ଅନିଦ୍ରା ରହି ମୋ ପାଖରେ ଜଗିବସୁଥିଲେ ।ସବୁବେଳେ ଚାକିରି ଖୋଜିବାପାଇଁ ଗଜଗଜ ହେଉଥିବା ମୋ ବାପା ,ମୁଁ ଚାକିରି ପାଇଁ ଘର ଛାଡିବା ଦିନଠୁଁ କେତେଦିନ ପର୍ଯ୍ୟନ୍ତ ଶୋଇ ପାରିନଥିଲେ କି ଭଲରେ ମୁଠାଏ ଖାଇ ପାରିନଥିଲେ ।ଖଟରେ ପଡି ପଡି କେବଳ କାନ୍ଦୁଥିଲେ ।ସୋନୁ ଯେଉଁଦିନ ପାଠପଢିବାକୁ ବାହାରକୁ ଗଲା ସେଦିନ ମୋ ଆଖିରୁ ଲୁହ ଶୁଖିନଥିଲା ।ସେ ବି ନିଶ୍ଚୟ ଭାବୁଥିବ ମୁଁ କେଡେ କଠୋର ହୋଇଛି ତାକୁ ଗଢିତୋଳିବାରେ। କେମିତି ଜାଣିବ ଗୋଟାଏ ବାପା ହୃଦୟର କଥା !
ଦିନକର କଥା ।ଚାକିରି କରିବାପରେ ଘରକୁ ଆସିଥାଏ ସୋନୁ ।କୌଣସି ଏକ କଥାରେ ଖୁବ୍ ଜୋର ରେ ଚିଲ୍ଲେଇ ମୋତେ ଜବାବ ଦେଲା ।ମୁଁ କିଛି ଆଉ କହିଲିନି ।କାରଣ ସେ ଆଉ ଛୋଟପିଲା ନୁହେଁ ।ପଲଙ୍କ ରେ ମୁହଁ ମାଡି ଶୋଇ
ରହିଲି ।ରମା ମୋତେ ଆସି ବହୁତ ବୁଝେଇଲେ ।କୋଉ ମୁଡ୍ ରେ ଥିଲା,କହିଦେଲା ।କେବେ କଣ ସେ ତୁମକୁ ଖରାପ ବ୍ୟବହାର ଦେଖେଇଛି ? ମୁଁ କହିଲି,"ମୁଁ ତା'କଥା ପାଇଁ ମନ ଦୁଃଖ କରୁନି ରମା ।ମୁଁ ଭାବୁଛି ,ତାର ପିଲାଛୁଆ ହେଲେ ସେମାନେ ଏମିତି ବ୍ୟବହାର କଲେ ଆମ ସୋନୁ ଟା ସହିପାରିବତ ! ଭାରି କଅଁଳ ହୃଦୟ ତା'ର ।"
××××××××କିଛିଦିନ ପରେ ମନୋଜ ଦେଖିଲା ସୋନୁ ହ୍ବାଟ୍ସଆପ ରେ ଗୋଟିଏ ମେସେଜ ପଠେଇଛି ।ଲେଖିଛି,'ବାପା ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ।ଫେସବୁକ ରେ ତୁମେ
" ବାପା" ଶିରୋନାମା ରେ ଛାଡିଥିବା ଗଳ୍ପ ଟି ପଢିଲି ।ମୁଁ ତୁମକୁ ଭୁଲବୁଝିଥିଲି ।ମୁଁ ତୁମକୁ କେବେ କେବେ ଖରାପ ବ୍ୟବହାର ଦେଖାଇଛି ।ମୋତେ କ୍ଷମା କରିଦେବ ।ଆଜି ତୁମେ ଏକା ।ମାଁ ବି ତୁମକୁ ଏକା ଛାଡି ଚାଲିଗଲା ।ଏଥର ତୁମକଥା ଜମା ଶୁଣିବିନି ।ମୋ ସାଥିରେ ତୁମକୁ ଆସିବାକୁ ପଡିବ।"
"ତୁମର ଉପର ଚେହେରା ଦେଖିଥିଲି ।ଆଜି ଜାଣିଲି ସବୁ
'ବାପା' ଗୋଟିଏ ଗୋଟିଏ ପଇଡ ସଦୃଶ ।ଉପର ଟାଣ ସିନା ଭିତରଟା ପୁରା ପାଣି ଆଉ ସେ ପୁଣି ନିର୍ମଳ ଆଉ ମଧୂର ।"
ମନୋଜ ମେସେଜ ଟି ପଢି ସାରି ଆଖିରୁ ଚଷମା ଟା ଖୋଲି ଝରିଆସୁଥିବା ଲୁହକୁ ପୋଛୁ ପୋଛୁ ଭାବୁଥିଲା,ସୋନୁ ଆଜି ମୋ ଗଳ୍ପ ଟି ପଢି ମୋ ହୃଦୟକୁ ପଢିପକାଇଲା ନା ସେ ଆଜି ଦି' ଦି' ଟା ପିଲାର ବାପା ହେଲାଣି ବୋଲି ବାପାର ହୃଦୟ କୁ ବୂଝି ପାରିଲା !!!
*ଡ଼ାଏରୀର ଶେଷପୃଷ୍ଠା*
ଲୋପାମୁଦ୍ରା ମିଶ୍ର
--ମାମା ! ମାମା ! ମୋତେ ସତରେ ତୁମେମାନେ ପର ଭାବିଦେଲ l ନୁହେଁ ? ମୋ ରୁମ୍ ର ଅବସ୍ଥାଟା କଣ କରିଛ ତୁମେ ? କୋଉଟା ଵି କୋଉଠି ଠିକରେ ରଖା ହେଇନାହିଁ l ସବୁ ଜିନିଷ ଏପଟ୍ ସେପଟ୍ l ମୁଁ ମୋ ପୁରୁଣା ଜିନିଷ କିଛି ଵି ପାଉନି l
--ଆରେ କ'ଣ ଖୋଜୁଛୁ କହୁନୁ ? ତୁ ତ ଭାରି ସାଇତି ରଖୁଥିଲୁ ସବୁ? ତୁ ପା ତୋ ରୁମ୍ କୁ ମୋତେ ପଶେଇ ଦେଉନା l ମୁଁ ଆହୁରି ତୁ କଲେଜ୍ ଗଲା ପରେ ଆସିକି ସବୁ ସଜାଡ଼ି ରଖେ l ହଉ କ'ଣ ଖୋଜୁଛୁ କହ, ମୁଁ ହେଲ୍ପ କରିବି l
ପ୍ରଣତି ମୁହଁକୁ ଫୁଲେଇ କହିଲା, "କିଛି ଦରକାର ନାହିଁ, ତୁମେ ଯାଅ l ମୁଁ ନିଜେ ଖୋଜିନେବି l "
ବାହାଘର ଚାରିମାସ ପରେ ଅଭିଙ୍କ ସହ ଜର୍ମାନୀ ପଳେଇଥିଲା ପ୍ରଣତି l ବର୍ଷକ ପରେ ଇଣ୍ଡିଆ ଫେରିଛି l ଏଇଠି ବାପଘରେ ପନ୍ଦରଦିନ ରହି ଶାଶୂଘରକୁ ଯିବ l ସେଠି ଆଠ ଦିନ ରହି ପୁଣି ଫେରିଯିବ ସ୍ୱାମୀଙ୍କ ସହ ସୁଦୂର ଜର୍ମାନୀ l ଏହି ପନ୍ଦର ଦିନର ସମୟକୁ କାହା ସହ କିପରି ବିତେଇବ ତା'ର ସେ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଆସିଥିଲା l ଆଜି ତା' ସାଙ୍ଗ ମଧୁର ମ୍ୟାରେଜ୍ ରିସେପ୍ସନ୍ ମୟୁର୍ ହୋଟେଲରେ l ସେଠିକୁ ସେ ସନ୍ଧ୍ୟାରେ ଯିବ l ତା' ଫିଜିକ୍ସ ଡିପାର୍ଟମେଣ୍ଟର ପ୍ରାୟ ସବୁ ଫ୍ରେଣ୍ଡସ୍ ଙ୍କ ସହ ବହୁତ ଦିନ ପରେ ଆଜି ଦେଖା ହେବ l "ଆର୍.ଜୀ କଲେଜ୍ ରୟାଲ ଫିଜିକ୍ସ ୨0୧୭ ବ୍ୟାଚ୍" ହ୍ୱାଟ୍ସଅପ ଗ୍ରୁପର ସବୁ ମେମ୍ବର୍ ଆଜି ପ୍ରଣତିକୁ ଅପେକ୍ଷା କରିଛନ୍ତି ଭେଟିବା ପାଇଁ l ପ୍ରଣତି କିନ୍ତୁ ମାମାଙ୍କ ଉପରେ ରାଗୁଛି କାହିଁକି ସେ ତା ରୁମ୍ ଟାକୁ ଆଗୁଆ ସଫା କରି ରଖିଲେନାହିଁ ବୋଲି l
ପ୍ରଣତି କପବୋର୍ଡରୁ ସବୁ ପୁରୁଣା ଡ୍ରେସ୍ ବାହାର କରି ଲଣ୍ଡ୍ରି ବ୍ୟାଗ୍ ରେ ଭର୍ତ୍ତି କଲା, ସତେଯେମିତି ଘରୁ ବେଘର କରି କାହାକୁ ବିତାଡ଼ିତ କରିଦେଉଛି, ସେମିତି l ଯେଉଁଟା ପସନ୍ଦ ଆସୁଥିଲା, ତାକୁ ଅଲଗା ରଖି ଟ୍ରାଏ କରି ଦେଖୁଥିଲା ଫିଟ୍ ହେଉଛି କି ନାହିଁ l ବେଶି ଟିକେ ଟାଇଟ୍ ଲାଗୁଥିଲେ ରାଗିକି ହାତରେ ମୋଡ଼ି ମାଡି ଫିଙ୍ଗି ଦେଉଥିଲା ସେହି ଲଣ୍ଡ୍ରି ବ୍ୟାଗ୍ ଉପରକୁ l
ରୁମ୍ ସାରା ସବୁ ଜିନିଷ ଖେଳେଇ ପକେଇ ସାରିଲା ପରେ ସେ ତା ବୁକ୍ ସେଲ୍ଫ ପାଖକୁ ଗଲା l ଗ୍ରାଜୁଏସନ୍ ଫାର୍ଷ୍ଟ ଇଅର୍ ର ପ୍ରାକ୍ଟିକାଲ ରେକର୍ଡ ଖାତାଟେ ଆଖି ସାମ୍ନାକୁ ଆସିଲା l ସେଇଟି ଓଲଟେଇ ପକେଇଲା l ସଫେଦ୍ କାଗଜଟେ ତଳକୁ ଖସିପଡ଼ିଲା l ପ୍ରଣତି ନଇଁ ପଡ଼ି ଉଠେଇଲା l କାଗଜଟା ସତରେ କିନ୍ତୁ ଆଉ ସଫେଦ୍ ନଥିଲା, ଅନେକଟା ମସିଆ ପଡ଼ିଗଲାଣି l କାଗଜରେ ଅଙ୍କା ହେଇଥିବା ଚିତ୍ରଟା କିନ୍ତୁ ଆଜି ଵି ଲାଗୁଛି ଜୀବନ୍ତ ଆଉ ସତେଜ l ଚିତ୍ରକର ସତରେ କେଡ଼େ ଯତ୍ନରେ, କେଡ଼େ ବାଗରେ ଫିଜିକ୍ସ ଅନର୍ସର ସେହି ପ୍ରଥମ ବର୍ଷର ଛାତ୍ରୀଟିର ନିରୀହ ମୁହଁଟାର ସବୁଯାକ ନିରୀହତା, ନିର୍ବୋଧତାକୁ କାଗଜ ଉପରେ ସାମାନ୍ୟ ଗୋଟେ ପେନସିଲ ସାହାଯ୍ୟରେ ଆଙ୍କି ଉତ୍ତାରି ପକେଇଥିଲେ !!
ପ୍ରଣତି କାଗଜ ଟିକୁ ଧରି ମନୋଜ ମନସ୍କ ହେଇଗଲା l ହ୍ୱାଟ୍ସଅପ୍ ଗ୍ରୁପରେ ମନୋଜ ନାହିଁ l କେହି ଜାଣନ୍ତିନି ସେ ଏବେ କୋଉଠି l ଯେମିତି ଗୋଟେ ପିଲା ଝଡ଼ ପରି ଆସି କେଇଟା ସେକେଣ୍ଡ ରେ ସମସ୍ତଙ୍କୁ ପ୍ରଭାବିତ କରି ଅନ୍ତର୍ଧ୍ୟାନ ହେଇଗଲା, ଠିକ୍ ସେମିତି l ପ୍ରଣତି କାଗଜଟି ଯୋଉଠି ଥିଲା ସେଇଠି ରଖିଦେଇ ଆହୁରି ଆହୁରି ପୁରୁଣା ଜିନିଷ ସବୁ ଅଣ୍ଡାଳିବାରେ ଲାଗିପଡ଼ିଲା l ୨0୧୫ ମସିହାର ଡ଼ାଇରୀଟା ଧରି ବେଡ୍ ଉପରେ ବସିଲା l ପୃଷ୍ଠା ପରେ ପୃଷ୍ଠା ଓଲଟେଇ ପକେଇଲା l ଗୋଟେ ଜାଗାରେ ଅଟକି ଗଲା l
"ପ୍ରଣତି ! ତୁମେ ଏହି ନୂଆ ଡ଼ାଏରୀ ଟାର ପ୍ରଥମ ପୃଷ୍ଠା ହେଲେ ମୁଁ ଛାଡ଼ି ଆସିଥିବା ଗତବର୍ଷର ଶେଷ ଫର୍ଦ୍ଦ l ତୁମେ ପଛକୁ ଫେରିପାରିବନି,ମୁଁ ଚାହୁଁନି l ମୁଁ ଵି ଆଗକୁ ଯାଇପାରିବିନି l ତୁମେ ଆଗେଇ ଯାଅ ପ୍ରଣତି l ଯାଅ l ଖୁବ ଆଗକୁ ଯାଅ l"
ମନୋଜ ସହ କଲେଜ୍ ଜୀବନରେ ବିତି ଥିବା ଦୁଇବର୍ଷ ଭିତରେ ସେ ଦୁଇଟି ନୂତନବର୍ଷର ଆଗମନରେ ତାକୁ ଡ଼ାଏରୀ ଦୁଇଟି ଉପହାର ସ୍ୱରୂପ ଦେଇଥିଲା l ଦୁଇଟି ଯାକ ଡ଼ାଏରୀର ପ୍ରଥମ ପୃଷ୍ଠାରେ ଦୁଇଧାଡ଼ି ପେନସିଲରେ ଲେଖିକରି ଦେଇଥିଲା l କହିଥିଲା, "ପଢ଼ିସାରି ଇରେଜର୍ ରେ ଲିଭେଇ ଦେବ l ଶବ୍ଦଗୁଡ଼ା ଏହି କାଗଜରୁ ଲିଭିଗଲେ ଦୁଃଖ ନାହିଁ l "
ମନୋଜର କଥା ମନକୁ ଆସିବା କ୍ଷଣି ପ୍ରଣତି ନିଜ ଭରପୁର ସୁଖୀ ଜୀବନ ଭିତରେ ବିରାଟ ଏକ ଫାଙ୍କାପଣ ଅନୁଭବ କଲା l ସେ କି ଚମତ୍କାର ଚିତ୍ରକର ! ପାର୍କରେ ବସି ସାରାଟା ରୋମାଣ୍ଟିକ ମୁହୂର୍ତ୍ତକୁ ଚିତ୍ରରେ ତୋଳି ଧରିପାରେ ତା' ଯାଦୁଗରୀ ଚିତ୍ରକର ହାତରେ l ସୁନ୍ଦର କବିତା ଵି ଲେଖେ ମନୋଜ l ତା' କବିତା ମାଟି, ନଦୀ , ଆକାଶ, ଜହ୍ନ ଓ ତାରାଙ୍କ ମନ କଥା କହେ l ମନୋଜ ପ୍ରଣତିକୁ ସୁନ୍ଦର ଭାବେ ବର୍ଣ୍ଣନା କରି ବୁଝେଇ କୁହେ ସମ୍ବାଳୁଆରୁ ପ୍ରଜାପତି ହେବାର ସୁନ୍ଦର,ସୁଖଦ ମୁହୂର୍ତ୍ତକୁ l ତା'ର ଏତେ ଅଳ୍ପ ବୟସରୁ ଏତେ ପରିପକ୍ଵତା ଦେଖି ସାଙ୍ଗମାନେ ଏବଂ ତାକୁ ଭଲ ଭାବେ ଚିହ୍ନିଥିବା ଜାଣିଥିବା ଅଧ୍ୟାପକ ଅଧ୍ୟାପିକାମାନେ ଆଶ୍ଚର୍ଯ୍ୟ ହୁଅନ୍ତି l ପ୍ରଣତି କେବେ କେବେ ପଚାରିଲେ କୁହେ, "ବୋଧେ ଜୀବନକୁ ଖୁବ୍ ଜଲ୍ଦି ବୁଝି, ଖୁବ ଶୀଘ୍ର ଯାତ୍ରାଟା ଶେଷ କରିବାରେ ଅଛି " l ପ୍ରଣତି ଅଧା ବୁଝେ, ଅଳ୍ପ ଅବୁଝା ରହିଯାଏ l
ମାମା ଆସି ଦେଖିଲେ ଝିଅ ତାଙ୍କର ରୁମ୍ ସାରା ନୂଆ ପୁରୁଣା ଜିନିଷ ପତ୍ର ଅଜାଡ଼ି ପକେଇଛି l ପ୍ରଣତି ସଜାଡ଼ିବା ଦାୟିତ୍ୱଟା ମାମାଙ୍କ ଉପରେ ଲଦି ଦେଇ ମୋବାଇଲ୍ ଧରି ବାଲକୋନୀକୁ ଉଠିଗଲା l
ଫେସବୁକ ଖୋଲି 'ମନୋଜ ରାୟ' ନାଁଟା ସର୍ଚ୍ଚ କଲା l ଅନେକ ଗୁଡ଼ିଏ ମନୋଜ ରାୟ ଗୋଟିଏ ପରେ ଗୋଟିଏ ତଳକୁ ତଳକୁ ମୋବଇଲ ସ୍କ୍ରିନ୍ ରେ ସଜେଇ ହେଇଯାଉଥିଲେ l ସେଥିରେ କିନ୍ତୁ ତା' ମନୋଜ ନଥିଲା l ପ୍ରଣତି ନିରାଶ ହୋଇ ପୁଣି ଡ଼ାଏରୀଟା ଖୋଲୁଥିଲା l ସେହି କେଇଧାଡ଼ି ବାରମ୍ବାର ପଢୁଥିଲା l "ଡାଏରୀର ଶେଷ ପୃଷ୍ଠା !!!...କାହିଁକି ସେ ଏମିତି ନିଜକୁ କହେ? ",ପ୍ରଣତି ମନେ ମନେ ଭାଵିଚାଲିଲା l
ହଠାତ୍ ତାର ଗୋଟେ ପୁରୁଣା ମାଗାଜିନ୍ କଥା ମନେ ପଡ଼ିଲା ଯେଉଁଥିରେ ମନୋଜ୍ ର କବିତାଟେ ପ୍ରକାଶ ପାଇଥିଲା l ପୁରୁଣା ବହି ଥାକରୁ ସେଇଟି ଖୋଜି ପାଇଗଲା l କବିତାର ଶୀର୍ଷକ ଥିଲା 'ମୁଠାଏ ଜୀବନ' l "ଜୀବନ କେମିତି ପୁଣି ମୁଠାଏ ହେଇପାରେ ? ଧେତ୍.." ଫିଜିକ୍ସ ଛାତ୍ରୀର ମୁଣ୍ଡ ଗୋଳମାଳିଆ ହେଇଯାଏ l ମନୋଜ ପରି କବିତାରେ ଜୀଉଁଥିବା ପିଲାଟେ ପଦାର୍ଥ ବିଜ୍ଞାନରେ କେମିତି ରୁଚି ରଖିଲା ଭାବି ପ୍ରଣତି ଵି ଆଶ୍ଚର୍ଯ୍ୟ ହୁଏ l
ସେହି 'ମୁଠାଏ ଜୀବନ ' କବିତାର କବି ମନୋଜ ରାୟଙ୍କ ଠିକଣାଟି ତଳେ ଲେଖା ହେଇଛି l ପ୍ରଣତି ଅନେକ ଦିନ ହେଲା ଖୋଜିଲା ପରେ ଆଜି ବହୁତ କିଛି ପାଇଗଲା l "ଏହି ଠିକଣାରେ ସମ୍ପର୍କ କଲେ କ'ଣ ମନୋଜ ମିଳିଯିବ? ", ପ୍ରଣତି ଭାବିଲା l ମନୋଜର ଠିକଣାଟା ହ୍ୱାଟ୍ସଅପର ସେହି ଗ୍ରୁପରେ ସେୟାର୍ କଲା l ଉତ୍ତର ଆସିଲା,"ଆରେ ଏଇଟା କୋଉଠୁ ପାଇଲୁ? ଆମେ ବୁଝିଥିଲୁ, ଏଟା ଭୁଲ ଆଡ୍ରେସ୍ l"
ମନୋଜ ହଜିଯିବା ପୂର୍ବରୁ କହିଥିଲା, "ପ୍ରଣତି ! ତୁମେ ମୋତେ ଯେତେବେଳେ ଖୋଜିବ, ତୁମରି ଭିତରେ ହିଁ ପାଇବ l ମୋତେ ବାହାରେ କୁଆଡ଼େ ଖୋଜି ନିଜର ସମୟ ଅପଚୟ କରିବନି l "
ବର୍ଷେ ଯାଏଁ ପାଗଳ ପରି ପ୍ରଣତି ମନୋଜକୁ ଖୋଜିଲା l ଖୋଜି ଖୋଜି ସତରେ ନୟାନ୍ତ ହୋଇଗଲା l କୌଣସି ସନ୍ଧାନ ମିଳିଲାନାହିଁ ତା'ର l ପିଲାଟା ହଷ୍ଟେଲରେ ରହୁଥିଲା l ଲୋକାଲ୍ ଗାର୍ଡିୟାନ୍ ଥିଲେ ଵଟାନି ଡିପାର୍ଟମେଣ୍ଟର ଡେମୋନସ୍ଟ୍ରେଟର ରଞ୍ଜନ ସାର୍ l ତାଙ୍କଠୁ ମଧ୍ୟ ମନୋଜର ଠିକଣା ମିଳିନଥିଲା l ସେ କହିଥିଲେ, "ମୁଁ ତ ସତରେ ଜାଣିନି ଏ ଅସାମାନ୍ୟ ପ୍ରତିଭାଟି ଆସିଥିଲା କେଉଁଠୁ ? ମୁଁ ସେଣ୍ଟ୍ରାଲ ହଷ୍ଟେଲର 'ବସନ୍ତ କବିତା ଆସର'କୁ ଯାଇଥିଲି l ତାର 'କଳା ସୂର୍ଯ୍ୟ' କବିତା ଆବୃତ୍ତି ଶୁଣି ମନ୍ତ୍ରମୁଗ୍ଧ ହେଲି l ସେଇଠୁ ତା' ପରିଚୟ ମାଗନ୍ତେ, ସେ ମୋତେ ହିଁ ତା'ର ପରିଚୟ କରିଦେବାକୁ ଚାହିଁଲା l 'କକା' କହି ମୋ ପାଦ ଛୁଇଁ ଥିଲା l " ଏତକ କହିବା ଭିତରେ ରଞ୍ଜନ ସାର୍ ଙ୍କ ଆଖି ତଳୁ ସରୁଆ ପାଣିର ଦୁଇଟି ଧାର ବହି ଆସୁଥିଲା l ସେ ଆହୁରି ମଧ୍ୟ କହିଥିଲେ ଅନ୍ୟ ମାନଙ୍କ ପରି ମନୋଜ ଗଲା ପୂର୍ବରୁ ତାଙ୍କୁ ମଧ୍ୟ ଯିବା ସମ୍ବନ୍ଧରେ କିଛି କହିନଥିଲା l
କଲେଜ୍ ଓ ହଷ୍ଟେଲରେ ତା' ଆବେଦନପତ୍ର ଫର୍ମ୍ ରେ ତା'ର ଯେଉଁ ଠିକଣା ଲେଖା ହେଇଥିଲା ସେଇଟି ଥିଲା ତା'ର ବହୁ ପୁରୁଣା ଆଡ୍ରେସ୍ l ତା ବାପାଙ୍କ ସରକାରୀ ବାସଭବନର ଠିକଣା, ଯେଉଁଟାକୁ ସେମାନେ ଅନେକ ବର୍ଷ ଆଗରୁ ଛାଡ଼ି ଆସିଥିଲେ l
ମନୋଜ ୨0୧୭ ଜାନୁଆରୀର ପ୍ରଥମ ସୂର୍ଯ୍ୟ ଉଇଁବା ପୂର୍ବରୁ ଶୂନ୍ୟରେ ମିଳେଇଗଲା ପରି ମିଳେଇଗଲା l ନୂଆ ଡ଼ାଏରୀଟେ କିଣି କରି ଆଣିଥିଲା l ଡିସେମ୍ବର ତିରିଶର ଡିପାର୍ଟମେଣ୍ଟ୍ ପିକନିକ୍ ହିଁ ଥିଲା ତାହାର ସମସ୍ତଙ୍କ ସହ ଶେଷଦେଖା l ଏକତିରିଶ ରାତିରେ ହଷ୍ଟେଲ୍ ର ଛାତ ଉପରେ ପିଲାମାନେ ଜିରୋ ନାଇଟ୍ ପାର୍ଟୀ ରେ ମସଗୁଲ ଥିଲା ବେଳେ ମନୋଜ ଡ଼ାଏରୀରେ କ'ଣ ଲେଖୁଥିଲା l ତହିଁ ଆରଦିନ ସକାଳୁ ତା' ବେଡ୍ ଉପରେ ବେଡିଙ୍ଗ୍ ଗୁଡ଼ା ହୋଇ ରହିଥିଲା l ସେ ଆଉ ଫେରିଲା ନାହିଁ ବାକି ଲଗେଜ୍ ନେଇଯିବାକୁ l
ମନୋଜ ଚାଲିଗଲା ପରେ ପ୍ରଣତି ଆଉ ଆଗକୁ ପଢିବାକୁ ଇଚ୍ଛା କଲାନାହିଁ l ଏମିତି କି ସେ ଗ୍ରାଜୁଏସନ୍ ଶେଷ ସେମେସ୍ଟର୍ ପରୀକ୍ଷା ଦେବାକୁ ମଧ୍ୟ ନିଜକୁ ପ୍ରସ୍ତୁତ କରିପାରୁନଥିଲା l ସେ ଭିତରେ ଅଭିଷେକଙ୍କ ଘରୁ ପ୍ରସ୍ତାବ ଆସିଲା l ମାମା, ପାପାଙ୍କ ଧମକଚମକରେ ବ୍ୟତିବ୍ୟସ୍ତ ହେଇ ପ୍ରଣତି ବିବାହ ପାଇଁ ସମ୍ମତି ଜଣେଇଦେଲା l ଅଭି ହିଁ ତା' ଜୀବନକୁ ଏହି କିଛି ଦିନ ଭିତରେ ଏକଦମ ବଦଳେଇଦେଇଛନ୍ତି l ତଥାପି ତା' ମନ ଭିତରେ କୋଉଠି ନା କୋଉଠି ଡ଼ାଏରୀର ଶେଷ ପୃଷ୍ଠା ଆଜି ବି ଉଙ୍କି ମାରୁଛି l
ବୁଲାବୁଲି, ସାଙ୍ଗମାନଙ୍କ ସହ ଭେଟାଭେଟି, ଗେଟଟୁଗେଦର୍ ସରିଗଲା l ପ୍ରଣତି ଶାଶୂଘରକୁ ଯିବାକୁ ବାହାରିଲା l
ଅନେକ ଦିନ ହେବ ସେ ଶାଶୂଘରକୁ ଯାଇନାହିଁ l ବାହାଘର ପରେ ପରେ ଯେଉଁମାନଙ୍କ ସହ ଦେଖାହେଇଥିଲା, ସେମାନଙ୍କ ନାଁ ସବୁ ଠିକରେ ମନେଅଛି କି ନାହିଁ ସେ ଗାଡି ଭିତରେ ବସି ଭାବି ଭାବି ଯାଉଥିଲା l ଗାଡି ଗେଟ୍ ପାଖରେ ରହୁ ରହୁ ପାଖକୁ ଦୌଡ଼ିଆସିଲା ଲିଲିମା, ଅଭିଙ୍କ ମାଉସୀ ଝିଅ l
--ଭାଉଜ ଦେଖ ଦେଖ ମୁଁ ମୁଁ ଭଲ ହେଇଯାଇଛି l ବିଲକୁଲ ଭଲ ହେଇଯାଇଛି l
ପ୍ରଣତି ଲିଲିମାର ହାତ ଧରି ଆସ୍ତେ ଆସ୍ତେ ଘର ଭିତରକୁ ପଶୁଥିଲା ଆଉ ଛୋଟ ଲିଲିମାର ତରବରିଆ କଥା ସବୁ ଶୁଣୁଥିଲା l
ଲିଲିମାର ହୃତପିଣ୍ଡରେ ସମସ୍ୟା ଥିଲା l ସେ ସେଥିପାଇଁ ଚଲାବୁଲା ବେଶି କରିପାରୁନଥିଲା l ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଡାକ୍ତର କହିଥିଲେ l କିନ୍ତୁ ଡୋନର୍ ମିଳୁନଥିଲେ l ଏତେ ଶୀଘ୍ର କେମିତି ଲିଲି ଠିକ୍ ହେଇଗଲା ? ପ୍ରଣତି ଜାଣିବାକୁ ପାଇଲା ଯେଉଁ ହସ୍ପିଟାଲରେ ଲିଲିର ଚିକିତ୍ସା କରାଯାଉଥିଲା, ସେଇଠି ଗୋଟେ ପିଲା ଚିକିତ୍ସିତ ହେଉଥିବା ଅବସ୍ଥାରେ ମରିଗଲା l ସେ ପିଲାର ମର ଶରୀରର ଦାବିଦାର କେହିନଥିଲେ l ସେହି ପିଲା ମୃତ୍ୟୁ ପୂର୍ବରୁ ନିଜର ଛଅଟି ଅଙ୍ଗ ଦାନ କରିଦେଇଯାଇଥିଲା l ତାହାର ବ୍ଳଡ୍ ଗ୍ରୁପ୍ ଲିଲି ସହ ମ୍ୟାଚ୍ କଲା l ସେହି ପିଲାର ହୃତପିଣ୍ଡ ଲାଗିଛି ଲିଲିଠାରେ l ଲିଲିମା ଏବେ ସମ୍ପୂର୍ଣ୍ଣ ସୁସ୍ଥ l
ଲିଲିମା ଏବଂ ମାଉସୀ ରୁହନ୍ତି ପ୍ରଣତିର ଶାଶୂଘରେ, ଲିଲିମାର ବାପାଙ୍କ ଅଚାନକ୍ ମୃତ୍ୟୁ ହେଇଯିବା ପରେ ପରେ l ସନ୍ଧ୍ୟାରେ ପ୍ରଣତି ମାଉସୀଙ୍କ ରୁମ୍ କୁ ଯାଇଥିଲା ଲିଲିମା ସାଙ୍ଗରେ l ମାଉସୀଙ୍କ ରୁମ୍ ର ଗୋଟେ କୋଣକୁ ଯେଉଁଠି ମଉସାଙ୍କ ଫୋଟୋ ଟଙ୍ଗା ହେଇଥାଏ, ସେଇଠି ଆଉ ଜଣଙ୍କ ଫୋଟୋରେ ଫୁଲମାଳଟେ ଝୁଲୁଛି l ପ୍ରଣତି ଆଶ୍ଚର୍ଯ୍ୟ ହେଇ ପାଖକୁ ଗଲା l ଆଖି ତାହାର ଲୁହରେ ଭର୍ତ୍ତି l ମାଉସୀ ପାଖକୁ ଆସିଲେ l ପ୍ରଣତି ଥରି ଥରି କହିଲା, "ମାଉସୀ.. ଏ ପିଲା.. ଇଏ ତ.. "
--ହଁରେ ମାଆ, ଏଇ ଛୋଟିଆ ପିଲାଟା ଆମ ପାଇଁ ଭଗବାନ ପାଲଟିଗଲା l ତାହାରି ହୃତପିଣ୍ଡ ଲିଲିର ଛାତିରେ ଧକ୍ ଧକ୍ କରୁଛି l
ପାଖରେ ଠିଆ ହେଇଥିବା ଲିଲିକୁ ପ୍ରଣତି ନିଜ ପାଖକୁ ଟାଣି ଆଣିଲା l ତା'କୁ ଛାତିରେ ଜାକି ଧରିଲା ଓ କାନ୍ଦିଲା l ଲିଲିମା କିଛି ବୁଝିପାରୁନଥିଲା l ପ୍ରଣତି କାନ୍ଦୁ କାନ୍ଦୁ ଆସ୍ତେ କରି କହିଲା, "ମାଉସୀ, ଡ଼ାଏରୀର ଶେଷପୃଷ୍ଠାରେ ଅନେକ କିଛି ଲେଖିହୁଏ l "
ଲୋପାମୁଦ୍ରା ମିଶ୍ର
,
"ସେଇ ଅଛୁଆଁ ଫଗୁଣର ରଙ୍ଗ"
~~~~~~卐~~~~~ଡକ୍ଟର ମନୋଜ ପ୍ରଧାନ
ଡଲି ଦେଖିବାକୁ ସୁନ୍ଦର ଥିଲା, ବୟସ ତୁଳନା ରେ ଯଦିଓ ସେ ଟିକିଏ ବଡ ଦିଶୁଥିଲା। ହୁଏତ ସେ ସାମାନ୍ଯ ମୋଟୀ ଆଉ ଗେଡୀ ଥିବାରୁ ବୋଧହୁଏ ସେମିତି ଲାଗୁଥିଲା। ତଥାପି ତାକୁ ଗୋଲ ମୋଟଲ ସୁନ୍ଦରୀ ଝିଅଟିଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନ୍ଦାଜରେ ଆଉ ଟିକିଏ ଡେଙ୍ଗୀ ହୋଇଥିଲେ ହୁଏତ ସେ କେବେବି ମୋଟୀ ଜଣାପଡିନଥାନ୍ତା। ବରଂ ତା' ସୁନ୍ଦରୀ ପଣିଆଟା ଆହୁରି ଦି'ଗୁଣ ବଢିଯାଇଥାନ୍ତା।
ସପ୍ତମ ଶ୍ରେଣୀରେ ସେ ପଢୁଥିଲା ସେତେବେଳେ। ଭଲ ପଢୁଥିଲା। ଯେତେଦୂର ମୋର ମନେ ପଡୁଛି ଗ୍ରାମାଞ୍ଚଳ ବୃତ୍ତି ପରୀକ୍ଷାରେ ସେ ବ୍ଲକରେ ଟପର୍ ହୋଇଥିଲା। ତାଙ୍କର ଯଥେଷ୍ଟ ଜମିବାଡି ଥିଲା। ଭଲ ଘରଦ୍ବାର କରିଥିଲେ। ତା' ବାପା ସେଇ ସମୟରେ ଡାକ୍ତର ଶୂନ୍ଯ ଆମ ଗାଁରେ ଭିଲେଜ୍ କ୍ବାକ୍ ଭାବରେ ବେଶ୍ ଦି' ପଇସା ରୋଜଗାର ବି କରୁଥିଲେ। ଗୋଟିଏ କଥାରେ କହିଲେ ଠିକ୍ ହେବ ଯେ, ତାଙ୍କ ଘରେ ଅଭାବ ଆଦୌ ନଥିଲା। କିନ୍ତୁ ଏସବୁ ସତ୍ତ୍ବେ ଡଲିର ବାପା ସପ୍ତମଶ୍ରେଣୀ ପାସ୍ ପରେପରେ ତା'ର ବାହାଘର କରିଦେଲେ। ଭଲ ପଢୁଥିଲା, ଆଉ କିଛି ଆଗକୁ ପଢାଇ ପାରିଥାନ୍ତେ ତାକୁ ! ତା'ଛଡା ଡଲିଟା ଥିଲା ଅତ୍ୟନ୍ତ ଚୁପଚାପ ପ୍ରକୃତିର। ସବୁ ଦୃଷ୍ଟିରୁ ଭଲ ଚରିତ୍ର ତା'ର। ଅଥଚ କି ବିଛା କାମୁଡିଲା ତା' ବାପା ମୁଣ୍ଡରେ କେଜାଣି ଏତେ କମ୍ ବୟସରେ ତାକୁ ବାହା କରିଦେବା କଥା ଚିନ୍ତାକଲେ,ମୁଁ କିଛି ବୁଝି ପାରିଲି ନାହିଁ!! ମୁଁ ସେତେବେଳେ ଗାଁ ସ୍କୁଲରେ ମୁଁ ପଢୁଥିଲି ଦଶମରେ। ଡଲିର ବାହାଘର ସ୍ଥିର ହୋଇଯାଇଛି ବୋଲି ଯେତେବେଳେ ଶୁଣିଲି ମୁଁ କାବାକାଠ ପଡିଗଲି। ବିଶ୍ୱାସ କରି ପାରିଲିନି, ଏତେ କମ୍ ବୟସରେ ଡଲିକୁ ତା' ଘରଲୋକେ ବାହା କରି ଦେଉଛନ୍ତି !
ବାହାଘର ଦିନ ବହୁତ କାନ୍ଦିଥିଲା ବିଚାରୀ। ଏମିତିରେ ତ ସେ ଚୁପଚାପ୍ ଆଉ ଗମ୍ଭୀର ପ୍ରକୃତିର। ବିଦାୟବେଳେ ସଂସାର ଫଟାଇ ଚିତ୍କାର କରି କାନ୍ଦିବାଟା ହୁଏତ ଥିଲା ତା'ର ଶେଷ ବିରୋଧର କାରୁଣ୍ଯମୟ ପରିପ୍ରକାଶ। ମୁଁ ଦେଖିଥିଲି ଡଲିର ବର ତା'ଠୁଁ ବୟସରେ ଯଥେଷ୍ଟ ବଡ ଥିଲା। ଡଲିକୁ ହୋଇ ହୋଇ କେତେ ହେବ ? ଅତିବେଶିରେ ତେଏର। କିନ୍ତୁ ତା' ବର ମୋ ଅନ୍ଦାଜରେ ଥିଲା ତିରିଶ କିମ୍ବା ବତିଶ ବର୍ଷ ବୟସର। ପୂର୍ବେ ପୁରପଲ୍ଲୀ ତଥା ଗ୍ରାମାଞ୍ଚଳ ମାନଙ୍କରେ ବୋଧହୁଏ ଆଇନର ଅଗୋଚରରେ ଏମିତି ସବୁ ଚଳୁଥିଲା। ଝିଅ ରୃତୁମତୀ ହୋଇଗଲା ମାନେ ଗୃହଯୋଗ୍ଯାହୋଇ ବଡ ହୋଇଗଲା। ପ୍ରସ୍ତାବ ଆସୁଛି ମାନେ ପରିବାର ଲୋକେ ଝିଅକୁ 'ଦେଲା ନାରୀ,ହେଲା ପାରି'- ନ୍ଯାୟରେ ବାହାଘର କରିଦେଇ ନିଶ୍ଚିନ୍ତ ହୋଇଯିବା କଥା ଭାବୁଥିଲେ। ବଢିଲା ଝିଅ, ଗୁଆ ଘିଅ। ବେଶିଦିନ ରହିଲେ ଗନ୍ଧାଏ ବୋଲି ସେମାନଙ୍କର ଭାବନା ଥିଲା। ତା' ଛଡା ସମାଜରେ ଶିକ୍ଷାଦୀକ୍ଷାର ଘୋର ଅଭାବ ବି ଥିଲା ଏସବୁର ମୁଖ୍ଯ କାରଣ। ଡଲିର ବାପାମାଆ ବିଶେଷ କିଛି ପାଠ ପଢିନଥିବାରୁ ତା'ର ଦୁଷ୍ପରିଣାମ ବିଚାରୀ ଡଲିକୁ ଭୋଗିବାକୁ ପଡିଲା ବୋଲି ମୁଁ ଆପାତତଃ ଭାବି ନେଇଥିଲି।
କନ୍ଯା-ବିଦା ବେଳେ ଆଉଗୋଟିଏ ଦୃଶ୍ଯ ଥିଲା ଅତ୍ୟନ୍ତ ମର୍ମାନ୍ତିକ। ଡଲି କୌଣସିପ୍ରକାରେ ବରଲୁଗା ସହ ଭିଡାହୋଇଥିବା ଗଣ୍ଠିକୁ ଖୋଲିନେଇ ତୀବ୍ର ବେଗରେ ପଶିଗଲା ତା' ଶୋଇବା ବଖରାରେ। ପିଞ୍ଜରାବଦ୍ଧ ସିଂହୀ ଭଳି ସେ ଭୟଙ୍କର ଚିତ୍କାର କରୁଥାଏ। କିନ୍ତୁ ତା'ର ନିସ୍ତାର ଅବା କାହିଁ ! କିଛିଲୋକ ଭିତରକୁ ଯାଇ ଟେକିନେଇ ଆସିଲେ ତାକୁ। ଖୁବ୍ ଛାଟିପିଟି ହେଉଥାଏ ବିଚାରୀ। କ୍ଷୀଣ ଅଥଚ ପ୍ରତିବାଦିତ ସ୍ବରରେ କ'ଣସବୁ କହିଯାଉଥାଏ ସେ। କାନ୍ଦୁଥାଏ ବି ଅତ୍ୟନ୍ତ ବିକଳରେ। ମୁଁ ଆଶ୍ଚର୍ଯ୍ୟହେଲି ଯେ କେହି ଜଣେ ବି ବ୍ଯକ୍ତି ସମବେଦନା ଭରା ଦି'ପଦ କଥା ତା' ପାଇଁ କହୁନଥିଲେ। ବରଂ କେତେକ ସ୍ତ୍ରୀଲୋକ କହୁଥିବାର ଶୁଣିଲି --"ବାପଘରୁ ବାହାରିକି ଯିବାବେଳେ ଆମେ ବି ଏତେ କାନ୍ଦି ନଥିଲୁ। ଧନ୍ଯ କହିବ ଆମ ଡଲିକୁ "!!
ବଳପୂର୍ବକ ବିଦା ହୋଇଗଲା ଡଲି। କାର୍ ରେ ବସିଲାବେଳେ ତା' ଆଲୁଳାୟିତ କେଶବାସ ସ୍ପଷ୍ଟ ସୂଚିତ କରୁ ଥିଲାଯେ , ସେ ଏ ବିବାହରେ ଆଦୌ ସନ୍ତୁଷ୍ଟ ନଥିଲା। ତେଣୁ ସେ କାର୍ ଭିତରକୁ ଯିବା ପରଠୁଁ ତା' ବାପଘର କାହାରି ମୁହଁକୁ ଟିକିଏ ବି ଅନାଇଁଲା ନାହିଁ। ସେ ବସି ପଡିବାମାତ୍ରେ ଡ୍ରାଇଭର ବରର ଇଙ୍ଗିତରେ ସାଙ୍ଗେସାଙ୍ଗେ ଜାଗା ଛାଡିଦେଲା। ପରେ ଲୋକମାନଙ୍କ ମୁହଁରୁ ଶୁଣିଲି --"ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ ଭିତରୁ ଡଲିର ରୁଦ୍ଧ ବିଳାପ ବାହାରକୁ ବେଶ୍ ଶୁଣା ଯାଉ ଥିଲା"।'ଏତେ ଛୋଟ ପିଲାଟାକୁ ବାହା କରାଇବା ଠିକ୍ ହେଲାନି' ବୋଲି ବି କିଛିଲୋକ ଫୁସୁରଫାସର ହେଉଥିଲେ। ଯଦିଓ ଡଲିର ବାହାଘରର ମାଂସଭୋଜି ଖାଇବାରେ ସେମାନେ ଆଦୌ ଅବହେଳା କରି ନଥିଲେ ! କିଏ ଅବା ଜାଣିଲା, ନିରୀହା ଅନୂଢା କିଶୋରୀଟିଏ କାହାଉପରେ ଅଭିସମ୍ପାତ ବର୍ଷଣ କରୁକରୁ ନୀରବି ଗଲା ନିଜ ଭାଗ୍ଯକୁ ନିନ୍ଦା କରୁକରୁ !!
ବାହାଘରର ଦି' ଦିନପରେ ଡଲି ଲେଉଟି ଆସିଲା ତା' ବାପଘରକୁ। ସଂଧ୍ଯା ବସ୍ ରେ,ତା' ସାନ ଦିଅର ସାଥିରେ। କଥାଟା ପ୍ରଘଟ ହୋଇଗଲା କ୍ଷଣିକ ଭିତରେ--' ଡଲି ଫେରି ଆସିଛି' ! ସାଇରେ,ତୁଠରେ, ଗାଁରେ ସବୁଠି ସେଇ ଗୋଟିଏ ଆଲୋଚନା --'ଡଲି ତା' ଶାଶୁଘରୁ ଚାଲି ଆସିଲା କାହିଁକି, କ'ଣ ଅସୁବିଧା ହେଲା ତା'ର "? ତା'ର ଏମିତି ଚାଲି ଆସିବାଟା ବୋଧହୁଏ ସହଜରେ ହଜମ ହେଉ ନଥିଲା କାହାର ! ସେଇଥି ପାଇଁ ଭିନ୍ନଭିନ୍ନ ସ୍ତରର ନାରୀପୁରୁଷମାନେ ଲାଗିପଡିଥିଲେ ସମ୍ଭାବ୍ଯ କାରଣମାନ ଉପସ୍ଥାପନ କରିବାରେ। ଏମିତିରେ ତ ଗାଁ ମାନଙ୍କରେ ଭାଣ୍ଡ ମାନଙ୍କର ଅଭାବ ନାହିଁ। ସେମାନଙ୍କ କଥା ନଶୁଣିବା ଭଲ। ସଜମାଛରୁ ସେମାନେ ପୋକ ବାଛିଦେବେ କ୍ଷଣିକରେ। 'ଡଲି କୁଆଡେ ତା' ଠୁଁ ବୟସ୍କ ବରଟାକୁ ଆଦୌ ପସନ୍ଦରେ ଆଣିଲା ନି। ସହଜରେ ଇଏ କଅଁଁଳ କିଶୋରୀ ! ଚଉଠି ରାତି ରେ ତା' ବରର ହରକତ ସମ୍ଭାଳି ପାରିଲାନି ବୋଲି ଚାଲି ଆସିଲାନା' ! ଆଉ କେଇ ଜଣ ଭାଡୁଆ ଫୁସୁରୁଫାସୁରୁ ହୋଇ ଏଣେତେଣେ କହି ବୁଲିଲେ--"ବରଟା ନପୁଂସିଆ ହୋଇଥିବ ହେ, ନ ହେଲେ କି ଏଡେ ସୁନ୍ଦରୀ ଝିଅଟାକୁ ପଟେଇ ସଟେଇ ରସି ପାରିନଥାନ୍ତା ପୋଡାମୁହାଁ "?
ଡଲି କିଛି ଖାଇଲାନି କି ପିଇଲାନି। ମନ ମାରି ପଡି ରହିଲା ତା' ଶୋଇବା ବଖରାରେ। ଯିଏସବୁ ଆସି ଯାହା ପଚାରିଲେ ଉଁ କି ଚୁଁ କିଛି ବି କଲାନି। ଦିଅର ଟୋକାଟା ସକାଳ ବସ୍ ରେ ତାଙ୍କ ଗାଁକୁ ଫେରିଗଲା। ଦିନସାରା ଘରଲୋକେ ଆଉ ସାଇପଡିଶା ମିଶି ଯେ'ଝା ଉପାୟରେ ଡଲିଠୁଁ କଥା ଆଦାୟ କରିବାକୁ ଚେଷ୍ଟା କଲେ କିନ୍ତୁ ପାରିଲେନି। ହାରି ଗଲେ। ଡଲି କାହା କଥା ବି ଶୁଣିଲାନି । ଶେଷରେ ଅବରୁଦ୍ଧ କୋହକୁ ରୋକିନପାରି କହିଲା-"ବେଶି ବାଧ୍ଯ କଲେ ବିଷ ଖାଇ ଦେବି"।ଏତକ କହିଦେଇ ସେ ପୁନର୍ବାର ଚୁପ୍ ହୋଇଗଲା।ଘରେ କିଏ ଖାଇଲା,କିଏ ନ ଖାଇଲା କିନ୍ତୁ ଦିନବେଳା ଭଳି ଡଲି କିଛି ବି ଛୁଇଁଲାନି ରାତିରେ।
ଅଧରାତିରେ ଛାଇନିଦ ଲାଗିଯାଇଥିଲା ଡଲିର ଆଖିରେ। ହଠାତ୍ କାହାର ଆନ୍ତରିକ ସ୍ପର୍ଶରେ ତା'ର ନିଦ ଭାଙ୍ଗିଗଲା। ଦେଖିଲା ତାକୁ କୁଣ୍ଢାଇ କରି ଶୋଇଛି ଚା'ର ଜେଜେମା' । ସେ ଲେଉଟି ପଡି ତାକୁ ଭିଡିଧରି ବହୁତ କାନ୍ଦିଲା। ଳେଳେମା' ଆଖିରୁ ବି ଝରିଗଲା ଅସରାଏ ଲୁହ। କିଛିସମୟ କନ୍ଦାକଟା କରିବା ପରେ ଜେଜେମା' ଲୁହ ପୋଛି ଦେଲା ଡଲିର ଆଖିରୁ ଆଉ କୋଳକୁ ଭିଡିନେଇ କହିଲା--" ମୋ ଧନ,ମୋ ସୁନା, ସତକହ ! ଚଉଠି ରାତିରେ ତୁ କ'ଣ ତୋ ବର ସାଥିରେ ମୋଟେ ଶୋଇନୁ? ସକାଳୁ ସକାଳୁ ବସ୍ ରେ ତୁ ଚାଲି ଆସିଲୁ କିଆଁ ? ମୋ ମନକୁ ପାପ ଛୁଉଁଛି। ସେଇଠି ତୋତେ ବାଧିଲା ଭଳି କେହି କିଛି କହିଲେ କି ମା' ? ତୋତେ ମୋ ରାଣ ଧନ, ସତସତ କହିଦେ। ମୁଁ ତା'ର ଉପାୟ ଯେମିତି ହେଉ ବି ତୋ ପାଇଁ ଖୋଜି ଆଣିବି। ମନେରଖ, ତୋ ଜେଜେମା' ସବୁବେଳେ ତୋ ପଛରେ ରହିଛି "!
ବୁଢୀକଥା ଡଲିର ମନକୁ ଛୁଇଁଲା କି କ'ଣ ପହିଲେ ସେ ମୁହଁ ଲୁଚାଇଲା ବୁଢୀର ବୁକୁରେ। ସକସକହୋଇ ଗୁଡାଏ କାନ୍ଦିଲା। ମନବୋଧ ହେବାପରେ କହିଲା--" ମା'ଲୋ, କ'ଣ ଭାବି କି ମୋତେ ଏ ପିଲା ବୟସରେ ତୁମେମାନେ ଜୋର୍ ଜବର୍ଦସ୍ତିରେ ବାହାଘର କଲ ? ଯେଉଁ ବୟସରେ ମୁଁ ଖେଳି ବୁଲି ପାଠପଢିବା କଥା ସେଇ ବୟସରେ ଛନ୍ଦିଦେଲ ଅଚିହ୍ନା ଅଜଣା ଜଣେ ପୁରୁଷ ସାଥିରେ ଯିଏ କି ମୋ'ଠୁଁ କୋଡିଏ ବର୍ଷ ବଡ ! ପୁରୁଷ ସହ ନାରୀର ସଂପର୍କ ମୁଁ କ'ଣ ବୁଝେ କହିଲୁ ?ଚଉଠି ରାତି ସଂପର୍କରେ ମୋର ଧାରଣା କ'ଣ ? ମୁଁ ପରା ନିଜେ ନିଜେ ଶାଢୀପିନ୍ଧା ଶିଖିନି ! ଅନ୍ଯପୁରୁଷ ଆଗରେ ଲୁଗା ଖୋଲି ପୁଣି ପିନ୍ଧିବା ବାବଦରେ ମୋର ଜ୍ଞାନ କ'ଣ ? ନା' ତୁ ବୁଝାଇ ଥିଲୁ, ନା ମୋର କେହି ଭାଉଜ ! ଶୁଣିବୁ ସେ ଦିନ ରାତିରେ କ'ଣ ସବୁ ହେଲା ? ରାତି ପ୍ରାୟ ଦଶଟାବେଳେ ସେମାନେ ମୋତେ ସଜାବୁଜା କରି ଠେଲିଦେଲେ ଗୋଟିଏ କୋଠରୀ ଭିତରକୁ। ମୁଁ ଡରିମରି ବସିଥାଏ ପଲଙ୍କର ଗୋଟିଏ କୋଣରେ। ଅଧଘଣ୍ଟା ପରେ ବର ଆସିଲା। କବାଟର ଛୁଟିକିଣି ଭିତରପଟୁ ଦେଇ ମୋ ପାଖରେ ବସି କ'ଣ କହିଲା ଜାଣିଛୁ ? ଛି, ଛି, କେତେ ଖରାପ କଥା ସତରେ ! କହିଲା, ଚାଲ୍ ସାଥି ହୋଇ ଶୋଇବା। ମୁଁ ନାହିଁ କଲାଉତ୍ତାରୁ ସେ ଭିଡିନେଇ ପାଖରେ ଶୁଆଇବାକୁ ଚେଷ୍ଟା କଲା। ମୁଁ ଛାଟିପିଟିହୋଇ ବିରୋଧ କଲି। ମୁଁ ତ ନିଜେ ଠିକରେ ଶାଢୀପିନ୍ଧା ଜାଣେନି ! ସେ କ'ଣ କଲାନା, ମୋ ଶାଢ଼ୀକୁ ଧରି ଏମିତି ଟାଣିଦେଲା ଯେ ମୁଁ ଅଧାଲଙ୍ଗଳା ହୋଇଗଲି। ଗୋଟାପଣେ ସରମରେ ଜୁଡୁବୁଡୁ ହୋଇଗଲି ମୁଁ। ପୁରୁଷ ମାନେ କ'ଣ ଏୟା ? ପୁଣି ସେ କ'ଣ କଲାନା ଲାଇଟ୍ ଲିଭାଇ ଦେଇ ପାଖକୁ ଭିଡି ନେଲା ମୋତେ ଆଉ ନିଜ ଲୁଗାପଟା ଖୋଲିନେଇ କ'ଣ କିଛି କରିବାକୁ ଚେଷ୍ଟାକଲା। ବେଡଲାଇଟ୍ ର ଆଲୁଅରେ ତା'ର ସେଇ ନଗ୍ନରୂପ ଦେଖି ମୁଁ ଭୟଙ୍କର ଭାବରେ ଡରିଗଲି। ଜୋର୍ ରେ ଚିଲ୍ଲେଇଲି--"ମୋତେ ଯଦି ଛୁଇଁଛୁ ତାହେଲେ ପଲଙ୍କ ବାଡରେ ମୁଣ୍ଡ କଚି ମରିଯିବି"। ତାପରେ ମୁଁ ବହୁତ କାନ୍ଦିଲି। ସେ ରାଗି ଯାଇ ମୋ ଗାଲରେ ବ୍ରହ୍ମଚାପୁଡାଟେ ମାରିଲା ଆଉ କ'ଣ ସବୁ ବକର ବକର ହୋଇ କୋଠରୀରୁ ବାହାରି ଗଲା ଯେ ଫେରିଲାନି ଜମ୍ମାରୁ। ତୁ କହୁନୁ, ମୋର ଭୁଲ୍ କୋଉଠି ? ସିଏ ମୋତେ କଅଁଁଳ କଥା କହି ବୁଝାଇବା କଥା ନା ନୁହଁ ? ଯେ ମୁଁ କାହିଁକି ତୋ ପାଖରେ ଶୋଇବି ! ବାହା ହୋଇପଡିଲୁ ବୋଲି କୁକୁରପରି ହେବୁ କାହିଁକି ? ମୋର ଏସବୁ ଆଦୌ ପସନ୍ଦ ନୁହଁ ! ହଁ, ସକାଳ ପାହିବା ପର୍ଯ୍ୟନ୍ତ ମୁଁ ସେଇମିତି ବସିଥାଏ ପଲଙ୍କ ବାଡରେ। ଭୋରରେ ଲେଖାଯୋଖାରେ ଜଣେ ଭାଉଜ ଭିତର କୁ ଆସି କଥା କ'ଣ ଜାଣିବାକୁ ଚେଷ୍ଟାକଲେ। ମୁଁ କାନ୍ଦିପକାଇ ତାଙ୍କୁ କହିଲି ପହିଲେ ତୁମେ ମୋତେ ଶାଢୀଟା ପିନ୍ଧାଇ ଦିଅ, ତାପରେ କହିବି। ସେ ଶାଢୀଟା ପିନ୍ଧାଇ ସାରିବା ମାତ୍ରେ ମୁଁ ଏକମୁହାଁ ହୋଇ ବାହାରିଗଲି ରାସ୍ତା ଉପରକୁ। କହିଦେଇକି ଆସିଲି --'ମୁଁ ମୋ ବାପଘରକୁ ଯାଉଛି,ଆଉ ଫେରିବିନି କେବେ ବି "!
ଜେଜେମା' ସବୁକଥା ଶୁଣିଲା। ଆଖିରୁ ଖୁବ୍ ଲୁହ ଝରାଇଲା। ମନେମନେ ତର୍ଜମା କଲା କାହାର ଭୁଲ୍ ରହିଲା କୋଉଠି ! ବେଦନାସିକ୍ତ କଣ୍ଠରେ ପଚାରିଲା---"ଏବେ ତୁ କ'ଣ କରିବୁ ବୋଲି ଭାବିଛୁ "? ଡଲି ଲୁହ ଝରାଇ କାନ୍ଦିପକାଇ କହିଲା--" ମୁଁ ଆଉ ଜମ୍ମାରୁ ଯିବିନି ସେଠିକି। ମୋତେ ଯଦି ବାଧ୍ଯ କରିବ ମୋ ମଲାମୁହଁ ଦେଖିବ। ମୁଁ ଆହୁରି ପାଠ ପଢିବି। ବାପାଙ୍କୁ କହ ମୋତେ ଅଲଗା କେଉଁ ସ୍କୁଲରେ ନାଁ ଲେଖାଇ ହଷ୍ଟେଲରେ ଛାଡିଦେଇ ଆସିବେ। ମୁଁ ଆଉ ଗାଁକୁ କେବେବି ଆସିବିନି ନିଜ ଗୋଡରେ ନିଜେ ଛିଡା ନହେବା ପର୍ଯ୍ୟନ୍ତ"।
ଶେଷରେ ଡଲିର କଥା ହିଁ ରହିଲା। ନିରୁପାୟ ହୋଇ ତା' ବାପା ସୁଦୂର ସୁନ୍ଦରଗଡରେ ତା'ର ପଢିବା ଆଉ ରହିବା ବନ୍ଦୋବସ୍ତ କରିଦେଲେ। ଡଲି ସେ'ଠି ହଷ୍ଟେଲରେ ରହି ପାଠ ପଢିଲା। ମ୍ଯାଟ୍ରିକ ପରେ ପରେ ମୁଁ ଗଲି ବାହାରକୁ କଲେଜରେ ପାଠ ପଢିବା ପାଇଁ। କ୍ବଚିତ୍ ଆସେ ଗାଁକୁ। କେବଳ ଛୁଟି ମାନଙ୍କରେ। ଥରେ ଗାଁକୁ ଯାଇ ଯେତିକି ଶୁଣିଥିଲି, ଡଲି ଆଉ କେବେ ବି ଗାଁକୁ ଆସି ନଥିଲା। ହଁ,ଆଉ ଗୋଟିଏ କଥା ଶୁଣିଲି, ଡଲିର ତଥା କଥିତ ଶାଶୁଘର ଯୌତୁକ ସବୁ ଫେରାଇ ଦେଲେ ଆଉ ବର ସୁବିଧା ଦେଖି ଆଉ ଗୋଟିଏ ଝିଅକୁ ବାହାହୋଇ ପଡିଲା। ସମୟକ୍ରମେ ଗ୍ରାଜୁଏସନ୍ ପରେ ମୁଁ ପୋଷ୍ଟଗ୍ରାଜୁଏସନ୍ ସାରି ଅଧ୍ୟାପକ ହେଲି ଗୋଟିଏ କଲେଜ ରେ । କ୍ରମେ ଗାଁ ସହିତ ମୋର ପୂର୍ବର ସେଇ ଘନିଷ୍ଠତା ଆଉ ରହିଲାନି। କେତେକ ବିଶେଷ ଛୁଟିଦିନ ମାନଙ୍କରେ କେବଳ ମୁଁ ଗାଁକୁ ଆସି ପାରିଲି କେବେ କେମିତି। ଡଲି ଆମ ପଡିଶାଘରର ହୋଇଥିବାରୁ ଖବର ନେଇ ଜାଣିଲି ସେ ମ୍ଯାଟ୍ରିକ୍ ସିଟି ପରେ ଏବେ ଶିକ୍ଷକତା କରୁଛି କେଉଁ ଆଦିବାସୀ ଗ୍ରାମମଙ୍ଗଳ ବିଭାଗର ସ୍କୁଲରେ। କଦବା ଘରକୁ ଆସିଲେ ସେ ସଂଧ୍ଯାରେ ଆସି ସକାଳୁ ସକାଳୁ ଚାଲିଯାଏ । କାହା ସାଥିରେ ବିଶେଷ କଥାବାର୍ତ୍ତା କରେନି କେବଳ ତା ଜେଜେମା' ବ୍ଯତୀତ।
ସମୟର ବିଚିତ୍ର ଗତି;ବିଚିତ୍ର ଶକ୍ତି । କେତେବେଳେ ଦି'ପ୍ରାଣୀଙ୍କୁ ଏକାଠି କରିଦିଏ ତ କେତେବେଳେ ଅଲଗା କରି ତଡିପାର୍ କରିଦିଏ କେଉଁ ଅଜଣା ରାଇଜକୁ। ମୁଁ ଅଧ୍ୟାପକ ହେଲାପରେ ପ୍ରାୟଶଃ ରହିଲି ବାହାରେ। ଗାଁଠୁ ବେଶ୍ ଦୂରରେ। ଏ ଭିତରେ ମୁଁ ଡଲିକୁ ଭୁଲି ସାରିଥିଲି। ସେ ହଜି ଯାଇଥିଲା ସଂପୂର୍ଣ୍ଣ ଭାବରେ ମୋ ବିସ୍ମୃତିର ଧୂସର ଫର୍ଦ୍ଦ ଭିତରେ। ତେବେ ସେଇ ଦିନର ଘଟଣା ପୁଣି ଉଖାରି ଦେଲା ଅଭୁଲା ସ୍ମୃତିର ପାଉଁଶ ଗଦାକୁ। ସେଦିନ ଥିଲା ରବିବାର। ଯାଇଥିଲି ମୁଁ ସମ୍ବଲପୁର ବୁକ୍ ଫେଆର୍ କୂ। କିଛି ନିର୍ବାଚିତ ପୁସ୍ତକ କିଣିବା ଅଭିପ୍ରାୟରେ ମୁଁ ଏଠିସେ'ଠି ବୁଲୁଥାଏ ଏକୁଟିଆ। ହଠାତ୍ ଡଲି କେଉଁଠି ଥିଲା କେଜାଣି ପାଖକୁ ଆସି ପାଦଛୁଇଁ ପ୍ରଣିପାତ ହେଲା ଆଉ ହସହସମୁହଁରେ ପଚାରିଲା ---"ଭାଇ ,ମୋତେ ଚିହ୍ନି ପାରୁଛ? କହିଲ ଦେଖି ମୁଁ କିଏ "? ମୁଁ ତନ୍ମୟ ହୋଇ ଅନାଇଲି ସେଇ ନୀଳଶାଢୀ ପରିହିତା ରୂପସୀ ଯୁବତୀ ଆଡକୁ। ଚମତ୍କାର ତା'ର ହସ। କ୍ଷଣିକ ମାତ୍ରେ ମୋ ପାଟିରୁ ବାହାରି ପଡିଲା--"ତୁ ଆମ ଡଲି ନା "!
ଆଗରୁ ଏତେ ପ୍ରଗଳ୍ଭା ନଥିଲା ଡଲି। ସଦାବେଳେ ଗମ୍ଭୀର ଆଉ ଚୁପଚାପ୍। କିନ୍ତୁ ଏବେ ସେ ସଂପୂର୍ଣ୍ଣ ଅଲଗା। ବହୁଦିନ ପରେ ମୋତେ ପାଖରେ ପାଇ ସେ ଖୁବ୍ ଭାବପ୍ରବଣ ହୋଇ ଉଠିଲା। କହିଲା --" ଭାଇ, ଏବେ ମୁଁ ଶିକ୍ଷକତା କରୁଛି ଗୋଟିଏ ସ୍କୁଲରେ। ଘଟଣାକ୍ରମେ ମୋର ଜଣେ ସହକର୍ମୀଙ୍କୁ ବିବାହ କଲି ଏଇ ମାସେ ଆଗରୁ ଗାୟତ୍ରୀ ମନ୍ଦିରରେ। ବହୁତ ଭଦ୍ର, ଖୁବ୍ ମେଳାପି। ଠିକ୍ ତୁମପରି । ଜାଣିଛ ନା ତାଙ୍କ ନାଁ ବି ମନୋଜ। ମୁଁ ତାଙ୍କୁ ତୁମ କଥା ବହୁତ ଥର କହିଛି। ଏମିତି ବହୁତ ଗପିଲା ସେ ନାନା ପ୍ରସଙ୍ଗ ନେଇ କିନ୍ତୁ ପଦେ ହେଲେ ବି କହିଲାନି ଗାଁ କଥା,ତାଙ୍କ ଘର କଥା କି ତା' ଜୀବନରେ ଏକଦା ଘଟିଥିବା ଅଘଟଣ କଥା। ସେ ଖାଲି କହିଲା ତା' ନିଜକଥା ଆଉ ନୂତନ ଜୀବନ କଥା।
ଡଲି ଗପି ଚାଲିଥାଏ ଆଉ ମୁଁ ଅନାଇଁ ଥାଏ ତା' ସୁନ୍ଦର ମୁହଁକୁ। ଆଗ ଅପେକ୍ଷା ଅଧିକ ସୁନ୍ଦର। ସୁଢଳ।ଆଉ ଭାବ ଛଳଛଳ। ବହୁତ ଭଲ ଲାଗିଲା ମୋତେ ତା'ର ପ୍ରଗଳ୍ଭତା। ଯା'ହେଉ ଅନିଚ୍ଛାକୃତ ସଂପର୍କକୁ ଗୋଇଠା ମାରି ଦେଇଥିବା ଏବଂ ଶିକ୍ଷାଦୀକ୍ଷା ପାଇଁ କମ୍ ବୟସରେ ଘରଦ୍ବାର ଛାଡିଦେଇଥିବା ଆଉ ଶେଷରେ ତା'ମନଲାଖି ସାଥୀକୁ ନେଇ ଘରସଂସାର କରି ପାରିଥିବା ଏଇ ଝିଅଟି ପ୍ରତି ମୋର ସମ୍ମାନ ବୋଧ ଯଥେଷ୍ଟ ବଢିଗଲା।
ଡଲିର ସ୍ବାମୀ ମୋ ଭଳି ପୁସ୍ତକ ପ୍ରେମୀ ନିଶ୍ଚୟ। ତେଣୁ ବହୁସମୟ ଧରି ସେ ବୁଲିବୁଲି ଷ୍ଟଲ୍ ସବୁ ଦେଖୁଥିଲେ। ସେ ଫେରି ଆସିବା ପୂର୍ବରୁ ମନ ଗହନରେ ଉଙ୍କି ମାରୁଥିବା ଛୋଟପ୍ରଶ୍ନଟିଏ ପତାରିଦେଲି --"ଡଲି,ତୋ ମୁକ୍ତିର ସଂଗ୍ରାମରୁ ଆରମ୍ଭକରି ପାଠପଢି ସ୍ବାବଲମ୍ବୀ ହେବା ତାପରେ ସ୍ବଇଚ୍ଛାରେ ଜୀବନସାଥୀ ବାଛିବା ସମାଜ ପାଇଁ ଉଦାହରଣ ନିଶ୍ଚୟ। କିନ୍ତୁ ଭଉଣୀ, ସତକହିବୁ ତୋ ସ୍ବାମୀ ତୋର ଆର୍ଲିମ୍ଯାରେଜ୍ ସଂପର୍କ ରେ କିଛି ଜାଣିଛନ୍ତି ନା ନାହିଁ"? ମୋର ଏ ସନ୍ଦିଗ୍ଧ ପ୍ରଶ୍ନର ଉତ୍ତର ବଦଳରେ ଡଲିର ନିର୍ଲିପ୍ତ ହସ ମୋତେ ଚକିତ କଲା। ସେ ସେଇମିତି ହସୁ ହସୁ କହିଲା--"ମୋ ସ୍ବାମୀ ତୁମଭଳି ଭାବ ପ୍ରବଣ ମଣିଷଟିଏ। ପାଠ ଆଉ ଜ୍ଞାନ ପାଇଁ ସେ ପାଗଳ। ତୁମ ଗଳ୍ପର ସେ ଜଣେ ଉଚ୍ଚ ପ୍ରଶଂସକ। ତୁମ ଲିଖିତ ଆଉ ପ୍ରକାଶିତ ପ୍ରାୟ ସବୁ ଗଳ୍ପ ଆମେ ଦୁହେଁ ପଢିଛୁ। କହିବାକୁ ଗଲେ ମୋ ଜୀବନର ସେ ଶ୍ରେଷ୍ଠ ଉପଲବ୍ଧି। ସେ ହିଁ ଆଗ ବିବାହ ପ୍ରସ୍ତାବ ରଖିଲେ। କିନ୍ତୁ ମୁଁ ଯେତେବେଳେ ତାଙ୍କ ଆଗରେ ମୋ ଜୀବନ ର ସବୁକିଛି ସତ୍ଯ ଖୋଲିଦେଲି ସେ ହସିଦେଲେ ଆଉ କ'ଣ କହିଲେ ଜାଣିଛ ? କହିଲେ--"ତୁମେ ମୋ ପାଇଁ ତିଆରିହୋଇ ଏ ସଂସାରକୁ ଆସିଛ, ଆଉ କୋଉ ହତଭାଗା ତୁମକୁ ନେଇ ଯାଇଥାନ୍ତା କିପରି ? ଯିଏ ଯାହା ପାଇଁନା "!!
ଡଲିର ସ୍ବାମୀ ମନୋଜ ବାବୁ ପୁଞ୍ଜାଏ ବହି ନେଇ ଫେରିଲେ। ସେଇ ଥାକରେ ଉଙ୍କି ମାରୁଥିଲା ମୋର ସଦ୍ୟତମ ସୃଷ୍ଟି 'ନିଷିଦ୍ଧ ଅଭିସାର' ଆଉ "ନୀଳତୃଷ୍ଣାର ନାୟିକା "। ବହିତକ ଡଲି ହାତକୁ ବଢାଇ ଦେଲାବେଳେ ମୋ ପରିଚୟ ପାଇ ସେ ଏତେ ଉଚ୍ଛ୍ବସ୍ବିତ ହେଲେ ଯେ, ସ୍ଥାନକାଳପାତ୍ର ଭୁଲି ଆନନ୍ଦରେ କୁଣ୍ଢାଇ ପକାଇଲେ ମୋତେ।
ତା'ପର ପ୍ରସଙ୍ଗ ସଂକ୍ଷିପ୍ତ କିନ୍ତୁ ଅତ୍ୟନ୍ତ ଉପାଦେୟ ମୋ ପାଇଁ। ଉଭୟ ଡଲି ଆଉ ମନୋଜ ଏବେ ପ୍ରତି ସପ୍ତାହରେ ମୋତେ ସାତିଶୟ ଆଗ୍ରହରେ ଫୋନ୍ କରି ମୋର ଭଲମନ୍ଦ ବୁଝନ୍ତି ଆଉ ପ୍ରତୀକ୍ଷାକରନ୍ତି ମୋର ପରବର୍ତ୍ତି ସୃଷ୍ଟିକୁ । ସେମାନଙ୍କ ଭଳି ପାଠକ ପାଇ ମୁଁ ଧନ୍ଯ।ଏବଂ ପ୍ରକାରାନ୍ତରେ ସେଇ ସୁଖୀଦମ୍ପତି ମୋର ପ୍ରେରଣାର ପାବନଉତ୍ସ । ସେମାନଙ୍କର ମଙ୍ଗଳ ହେଉ।
ବାବୁନୁ
--------
ଦୁନିଆଁ ର ଏମିତି କିଛି ସଂପର୍କ ଅଛି ଯାହା ଅନ୍ୟ କୁ କହି ହୁଏ ନାହିଁ କେବଳ ନିଜେ ଅନୁଭବ କରି ହୁଏ ।ସେ ସଂପର୍କ ଟି ଅତି ପାଖରେ ବି ଥାଇ ପାରେ କିମ୍ବା ଥାଇ ପାରେ ଅତି ଦୂର ରେ । ତା ର ପ୍ରତ୍ୟେକ ସ୍ପନ୍ଦନ କୁ ଅତି ସହଜ ରେ ଅନୁଭବ କରି ହୁଏ ।ତା ର ପ୍ରତ୍ୟେକ ଟି ଦୁଃଖ ସୁଖ ନିଜେ ଭୋଗିଲା ଭଳି ଲାଗେ ।
ମୁଁ ସେତେବେଳେ ଅଷ୍ଟମ ରେ ପଢ଼ୁ ଥାଏ ।ବଡ ଭାଇ ଭାଉଜ ଙ୍କ କୋଳ ମଣ୍ଡନ କରି ଥାଏ ଆମ ପରିବାର ସମସ୍ତ ଙ୍କ ଗେହ୍ଲା ବାବୁନୁ। ଛଅ ମାସ ର ହେବା ଦିନୁ ସେ ମୋର ହୋଇ ଯାଇ ଥିଲା ।ମୋ କୋଳ ରେ ଶୋଇ ଯାଏ , ଏକ ଦୁଇ ଯାହା ଇଚ୍ଛା କରେ ।ଧିରେ ଧିରେ ବାବୁନୁ ଆମର ବଡ ହୋଇ ଗଲା ,ତା ମିଠା ମିଠା କଥାରେ ସାରା ପରିବାର କୁ ବାନ୍ଧି ରଖି ଥାଏ ।
ମୋର ଛୋଟ ଖେଳନା ଓ ସାରା ଘର ର ଗେହ୍ଲା ସେ ।ସମୟ କ୍ରମେ ବାବୁନୁ ପହଞ୍ଚି ଥାଏ ଦଶମ ଶ୍ରେଣୀ ରେ । କ୍ଲାସ୍ ରେ କାହାକୁ କଣ କହିଛି,କୋଉଠି କଣ କିଛି କରିଛି ,ପରୀକ୍ଷା ରେ କେମିତି କରିଛି , କୋଉ ସାର୍ ଙ୍କ ନାଁ ରେ କଣ ସବୁ କଥା ହୁଅନ୍ତି ଇତ୍ୟାଦି ସବୁ ସେ ମୋ ସହିତ ସେୟାର କରେ ।
ବାବୁନୁ ଆମର ପିଲାଟି ଦିନରୁ ଭଲ ଖେଳେ ,କ୍ରିକେଟ, ଫୁଟ୍ ବଲ୍ , ଭଲି ବଲ ସବୁ ଖେଳ ରେ ସେ ଚମ୍ପିୟାନ।
ଗାଁ କ୍ରିକେଟ ର ସେ ଏକ ନମ୍ବର ଖେଳାଳି ,ଆଖ ପାଖ ଅଞ୍ଚଳରୁ ଡାକରା ଆସେ ବାବୁନୁ କୁ ।
ସକାଳୁ ସକାଳୁ ଆମ ଘର ଆଗରେ ବାଇକ୍ ଭିଡ ,ମୋତେ ନେହୁରା ହୋଇ କହନ୍ତି
ଦାଦା " ବାବୁ କୁ ଟିକେ ଆମ ସହିତ ଯିବାକୁ ଦିଅନ୍ତୁ,ଆଜି ଫାଇନାଲ ମ୍ୟାଚ୍ ଟା।"
ଭାଇ ଏ ସବୁ ଦେଖି ରକ୍ତ ଚାଉଳ ଚୋବେଇଲେଣି ମୁଁ ଟିକେ ଭାଇ ଙ୍କୁ ଶାନ୍ତ କରି ଦିଏ ।ଆମ ବାବୁ ଭଲ ଖେଳୁଛି ବୋଲି ଏତେ ଡାକରା ଆସୁଛି ,ତାକୁ ଯିବାକୁ ଦିଅ । ତା ପ୍ରତିଭା ଟା କାହିଁକି ଲୁଚେଇ କି ରଖିବା??
ଭାଇ ମୋ ଉପରେ ନାଲି ଆଖି କରି କହନ୍ତି ତୁ ତାକୁ ବିଗାଡି ସାରିଲୁଣି।
ମୁଁ ବସ୍ ରେ ଅଫିସ ବାହାରି ଯାଏ ,ମୋ ବାଇକ୍ କୁ ମୁଁ ବାବୁ କୁ ଦେଇ ଦିଏ ।
ଆମ ଘରେ ଦୁଈଟା ଆଲମାରୀ ବାବୁ ର ପୁରସ୍କାର ଓ ମାନପତ୍ର ରେ ଭର୍ତ୍ତି ହୋଇ ଥାଏ । ମ୍ୟାଚ୍ ରୁ ଫେରିଲେ ତା ଖେଳ କଥା ପଚାରେ,ସେ ବି ଭାରି ଖୁସି ହୋଇ କହେ
ଦାଦା ଆଜି ୪୫ ବଲ ରେ ୧୦୧,ଆଜି ୨୬ ବଲ ରେ ୬୭ ,ଆଜି ୫ ଟା ୱିକେଟ,ଆଜି ହ୍ୟାଟ୍ରିକ ୱିକେଟ,ଆଜି ମ୍ୟାନ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଏମିତି ଅନେକ କାରନାମା।
ବାବୁନୁ ଆମର ଦେଖିବାକୁ ପୁରା ସିନେମା ହିରୋ ଭଳି ।ତାକୁ ଦେଖିଲେ ନ ଚାହିଁବା ଲୋକ ବି ଥରେ ଚାହିଁ ଦେଖନ୍ତି । ତାର ଗୋରା ଗାଲ ସହିତ ବିୟର୍ଡ ଲୁକ ତାକୁ ଭାରି ମାନେ।ତାର ଫେସ୍ ବୁକ୍ ରେ ୧୦ ହଜାରେ ଫ୍ରେଣ୍ଡ୍ , ଇନ୍ଷ୍ଟା ଗ୍ରାମ ରେ ୨୦ ହଜାରେ ଫଲୋଅର । ଗୋଟେ ଫୋଟୋ ଅପ୍ ଲୋଡ୍ କଲେ ୫ ହଜାରେ ଲାଇକ ଆସେ ।
ତା ଖେଳ ଭିଡିଓ ଅନେକ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଘୁରି ବୁଲେ।
ସମୟ ଗାଡ଼ି ତାର ଚରମ ଗତି ରେ ... ,ବାବୁ ଏବେ ପଚିଶ ବର୍ଷ ରେ , ସେ କୋଉଠୁ କିଛି ଯୋଗାଡ କରି ଗ୍ରାମ ପଞ୍ଚାୟତ ସମ୍ପାଦକ ଭାବରେ ନିଯୁକ୍ତି ପାଇ ଯାଇଛି ।
ଦେଖିବାକୁ ସୁଦର୍ଶନ ଯୁବକ ,ପୁଣି ସରକାରୀ ଚାକିରି ଯୁବତୀ ମାନଙ୍କ ମନକୁ ଆକର୍ଷିତ କରି ଥାଏ ।ଅନେକ ଫୋନ୍ କଲ ,ମେସେଞ୍ଜର ରେ ମେସେଜ ।ବାବୁ ବି ମଜା ନବା କୁ ଯାଇ ଖୁବ୍ ମସ୍ତି କରୁ ଥାଏ ।
ହଠାତ୍ ଦିନେ ମନ୍ଦିର ପାଖରେ ଯୁବତୀ ଜଣେ ବାବୁ କୁ ଏକଲା ଦେଖି କଣ କିଛି କହୁ ଥାଏ ,ବାବୁ ବି ହସି ହସି ତାକୁ କିଛି ଜବାବ ଦେଉ ଥାଏ ।
ତାଙ୍କ କଥୋପ କଥନ ଭାଇ ଦେଖି ଦେଲେ ,ଭାଇ ଙ୍କ ମନ ରେ ସନ୍ଦେହ ଆସିଲା କି ପୁଅ ହାତ ଛଡ଼ା ହୋଇ ଗଲାଣି ।
ତା ପର ଠାରୁ ବାବୁ କୁ ହାତ କୁ ଦି ହାତ କରିବା ପାଇଁ ଜିଦ୍ ଧରି ବସିଲେ ।
ଶେଷ ରେ ସେୟା ହେଲା ବାବୁ ପାଇଁ ଝିଅ ଖୋଜିବା ଆରମ୍ଭ ହୋଇ ଗଲା ।
ଯାହା ବି ହେଉ ବାବୁ ପାଇଁ ସୁନ୍ଦର ସୁଶୀଳ ଝିଅ ଟିଏ ମିଳି ଗଲା ।
ବାହାଘର ଯଥା ଆଡମ୍ବର ରେ ସମ୍ପନ୍ନ ହୋଇ ଗଲା ।
ମୁଁ ତା ବାହାଘର ପାଇଁ କିଛି ଗହଣା ସହ ଦୁଇଟି ଟିକେଟ ସହ ମନାଲି ରେ ହୋଟେଲ ବୁକ୍ କରି ଉପହାର ରେ ଦେଇ ଥିଲି ।ବାବୁ ମୋତେ ଖୁସି ରେ କୁଣ୍ଢେଇ ଧରିଲା।
ପୁଅ ବୋହୂ ଦୁହେଁ ହନିମୁନ ସାରି ଘର କୁ ଫେରି ଥାଆନ୍ତି ।ବାବୁ ଦୈନଦିନ ଜୀବନ ଶୈଳୀ ରେ ଅଫିସ ଯାଏ ,ଛୁଟି ରେ ଖେଳି ବାକୁ ଯାଏ । ସାଙ୍ଗ ମାନଙ୍କ ସହ ଖଟି କରି ରାତି ରେ ଫେରେ ।
କିଛି ଦିନ ଯିବା ପରେ ମୁଁ ସନ୍ଧ୍ୟା ବେଳକୁ ଘର କୁ ଫେରି ଥାଏ ,ଭାଇ ଭାଉଜ ଙ୍କ ମୁହଁ ରେ ନିରାଶ ହତାଶ , ଚିନ୍ତାଗ୍ରସ୍ତ।
ଅଗଣା ରେ ସୁଟକେଶ୍ ରଖା ଥିଲା ।
ମୁଁ ପଚାରିଲି
କଣ ହେଇଛି ଭାଉଜ???
ପୁଅ ବୋହୂ ଝଗଡା କରିଛନ୍ତି ,ବୋହୂ ତାଙ୍କ ଘର ଲୋକ ଙ୍କୁ ଫୋନ୍ କରି ଡକେଇଛି ।ଭାଉଜ ରୁକ୍ଷ ଗଳା ରେ କହି ଗଲେ ।
ମୁଁ ଭିତରକୁ ଯାଇ ଦେଖେ ଦୁହେଁ ଅଲଗା ଅଲଗା ରୁମ୍ ରେ । ଦୁହିଁ ଙ୍କୁଯେତେ ବୁଝେଇଲି କେହି ବି ମାନିବାକୁ ନାରାଜ ।
କିଛି ସମୟ ପରେ ତାଙ୍କ ଘର ଲୋକେ ଆସିଲେ ଆମ ମାନଙ୍କ ସହ କିଛି କଥା ବି ନ ହୋଇ ବୋହୂ କୁ ନେଇ ଚାଲି ଗଲେ।
ଦିନେ ଦୁଇ ଦିନ ପରେ ମୁଁ ବାବୁ କୁ ବୁଝେଇ ସୁଝେଇ ବୋହୂ କୁ ଆଣିବାକୁ ତାଙ୍କ ଘର କୁ ଗଲୁ ।
ତାଙ୍କ ଘର ଲୋକେ ଆମ ଆଗରେ କିଛି ସର୍ତ୍ତ ରଖିଲେ :-
ବାବୁ ଖେଳିବାକୁ ଯିବେ ନାହିଁ
ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବେ
ଫେସ୍ ବୁକ୍, ଇନଷ୍ଟା ଗ୍ରାମ ବ୍ୟବହାର କରିବେ ନାହିଁ
ବାବୁ ମାନିବାକୁ ନାରାଜ ଥିଲା ,କିନ୍ତୁ ମୁଁ ବହୁତ୍ ବୁଝା ଶୁଝା ପରେ ମାନି ଗଲା ।
ବୋହୂ କୁ ନେଇ ଘରକୁ ଫେରିଲୁ ।ଘରେ ପହଞ୍ଚି ପୁଣି କିଛି ଦିନ ଟିକେ ଟିକେ ଝଗଡା ହୋଇ ଥିଲା ।ଏମିତି ପ୍ରାୟ ଛଅ ମାସ ବିତି ଯାଇ ଥାଏ ।
ବାବୁ ଆଉ ଖେଳିବାକୁ ଯାଉ ନାହିଁ ,ସାଙ୍ଗ ମାନଙ୍କ ସହ ଖଟି କରୁନି,ଆଉ ସେ ବୀୟଡ୍ ଲୁକ୍ ନାହିଁ , କ୍ଲିନ୍ ସେବ୍ କରୁଛି।ସନ୍ଧ୍ୟା ପୂର୍ବରୁ ଘରକୁ ଫେରୁଛି।
ସେ ଏବେ ସଂସାର କରିବା ଶିଖି ଗଲା ବୋଧେ କିନ୍ତୁ ,ଆଉ ଖେଳ ପଡିଆ ରେ ଦେଖିବାକୁ ମିଳୁନି ସେ ବାବୁନୁ ର ଧୂଆଁଧାର ବ୍ୟାଟିଂ, ଫୁଟ୍ ବଲ ର ଯାଦୁଗରି କରାମତି । ବୋଧ ହୁଏ ଏମିତି କିଛି ପ୍ରତିଭା ତେଲ ଲୁଣ ର ସଂସାର ରେ ଚାପି ହୋଇ ଯାଏ ଆଉ ଆଗକୁ ବଢ଼ି ପାରେ ନାହିଁ। ଦୁଃଖ ଟିକେ ରହିଗଲା କି ମୁଁ ବି ଏମିତି ଭଲ ଖେଳୁ ଥିଲି କିନ୍ତୁ ଘର ପକ୍ଷ ରୁ କୌଣସି ପ୍ରକାର ର ସମର୍ଥନ ମିଳି ନ ଥିଲା।
ବାବୁ ର ଖେଳ ଦେଖି ମୁଁ ତାକୁ କମ୍ ସେ କମ୍ ଓଡ଼ିଶା ଟିମ୍ ରେ ଦେଖିବାକୁ ଚାହୁଁ ଥିଲି,ଭାଇ ଭାଉଜ ଙ୍କୁ ଏ କଥା କେବେ କହିବାକୁ ସାହସ ହୋଇ ନ ଥିଲା । ବାବୁନୁ ପ୍ରତିଭା ର ଏମିତି ଏକ ବିଲୟ ଦେଖି ବହୁତ୍ କଷ୍ଟ ଲାଗିଲା ।
✍️ ପାପୁନା......
Click here to claim your Sponsored Listing.
Location
Category
Contact the school
Website
Address
Keonjhar
758001