09/02/2026
AIRSO ସର୍ବଭାରତୀୟ କାର୍ଯ୍ୟକର୍ତ୍ତା ସଭା ନାଗପୁରରେ ସଫଳ ହୋଇଛି
୨୦୨୬ ଫେବୃଆରୀ ୭ ଓ ୮ ତାରିଖରେ, AIRSO ର ସର୍ବଭାରତୀୟ କାର୍ଯ୍ୟକର୍ତ୍ତା ସଭା ନାଗପୁରରେ ଆୟୋଜିତ ହୋଇଥିଲା। ଏହି ସଭାରେ ୫ଟି ରାଜ୍ୟର ଚୟିତ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଫାସିବାଦୀ ଶାସନ ଅଧୀନରେ ଛାତ୍ରଛାତ୍ରୀମାନେ ଯେଉଁ ଗୁରୁତର ସମସ୍ୟାମାନଙ୍କ ସମ୍ମୁଖୀନ ହେଉଛନ୍ତି, ସେଗୁଡ଼ିକୁ ଆଲୋଚନା କରିବା ସହ ସର୍ବଭାରତୀୟ ସ୍ତରରେ AIRSO କୁ ଏକ ବିପ୍ଲବୀ ଛାତ୍ର ସଂଗଠନ ଭାବେ ପୁନର୍ଗଠନ କରିବା ପାଇଁ ଯଥୋଚିତ ରଣନୀତି ପ୍ରସ୍ତୁତ କରିବା ଏହି ସଭାର ମୂଖ୍ୟ ଉଦ୍ଦେଶ୍ୟ ଥିଲା।
ପ୍ରଥମ ଦିନ ଦୁଇଟି ପତ୍ର ପାଠ ହୋଇଥିଲା—
୧) ଶିକ୍ଷା ଓ ଫାସିବାଦ
୨) ସର୍ବଭାରତୀୟ ସ୍ତରରେ AIRSO କୁ ଏକ ବିପ୍ଲବୀ ଛାତ୍ର ସଂଗଠନ ଭାବେ ଗଢ଼ିତୋଳିବା ବିଷୟରେ
ପ୍ରଥମ ପତ୍ରଟି କମ୍ରେଡ୍ ଅକ୍ଷୟ ଦ୍ୱାରା ଉପସ୍ଥାପିତ ହୋଇଥିଲା। ସେଥିରେ ବ୍ରାହ୍ମଣବାଦୀ ହିନ୍ଦୁତ୍ୱ ଫାସିବାଦୀ ଶକ୍ତିମାନେ କିପରି ଶିକ୍ଷାକୁ ଜନମାନସକୁ ବଳପୂର୍ବକ ନିୟନ୍ତ୍ରଣାଧୀନ କରି ଅପଚାଳନା କରିବାର ଏକ ଉପକରଣରେ ପରିଣତ କରୁଛନ୍ତି ଓ କିପରି ଭାବେ ଶ୍ରମିକ ବର୍ଗ, ଦଳିତ, ଆଦିବାସୀ ଇତ୍ୟାଦି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପ୍ରଣାଳୀଗତ ଭାବେ ବାଦ ଦିଆଯାଉଛି ବୋଲି ପତ୍ରଟି ଉଲ୍ଲେଖ କରିଥିଲା। ସମସ୍ତ ପ୍ରକାରର ମତଭେଦକୁ କିପରି ଦମନ କରାଯାଉଛି, ସେଥିରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା, ଯାହା ସମାଜ ଓ ଶିକ୍ଷା ପ୍ରଣାଳୀର ଫାସିବାଦୀ ପରିବର୍ତ୍ତନକୁ ପ୍ରକାଶ କରେ। ପତ୍ରଟି ଫାସିବାଦ ବିରୋଧରେ ସଂଘର୍ଷମୁଖୀ ଛାତ୍ର ଏକତା ଗଢ଼ିତୋଳିବାର ଆବଶ୍ୟକତାକୁ ମଧ୍ୟ ଆଲୋଚନା କରିଛି।
ଦ୍ୱିତୀୟ ପତ୍ରଟି କମ୍ରେଡ୍ ନିରଞ୍ଜନ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। କୋଭିଡ୍ ମହାମାରୀ ପରେ AIRSO କୁ ସର୍ବଭାରତୀୟ ସ୍ତରରେ ପୁନଃଗଠନ କରିବା ସମୟରେ ଯେଉଁ ପ୍ରତିବନ୍ଧକମାନେ ସାମ୍ନା କରିବାକୁ ପଡ଼ିଥିଲା, ସେଗୁଡ଼ିକୁ ଏହି ପତ୍ରରେ ଆଲୋଚନା କରାଯାଇଥିଲା। ପ୍ରାଥମିକ ସ୍ତର ରେ କାମ, ଛାତ୍ର ମାନଙ୍କ ସହ ଦୈନନ୍ଦିନ ସମ୍ପର୍କ, ସେମାନଙ୍କ ଦୈନିକ ଜୀବନ ସମସ୍ୟା ଉଠାଇବା, ତାଙ୍କ ମଧ୍ୟରେ ବିପ୍ଲବୀ ଚେତନା ଗଢ଼ିତୋଳିବା ଇତ୍ୟାଦି ସଂଗଠନ ନିର୍ମାଣର ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପ୍ରତ୍ୟେକ ପତ୍ର ପାଠ ପରେ ଗମ୍ଭୀର ଆଲୋଚନା ହୋଇଥିଲା ଓ ବିଭିନ୍ନ ପ୍ରସ୍ତାବକୁ ସାମିଲ କରି ପତ୍ରଗୁଡ଼ିକୁ ଅନ୍ତିମ ରୂପ ଦିଆଯାଇଥିଲା।
ଦ୍ୱିତୀୟ ଦିନ ସର୍ବଭାରତୀୟ ରିପୋର୍ଟିଂ ଓ ରାଜ୍ୟ-ସ୍ତରୀୟ ରିପୋର୍ଟିଂ ସହ ଆରମ୍ଭ ହୋଇଥିଲା। ସଂଗଠନ ସମ୍ମୁଖୀନ ଚ୍ୟାଲେଞ୍ଜଗୁଡ଼ିକୁ ଆଲୋଚନା କରାଯାଇ, ସେଗୁଡ଼ିକୁ ଅତିକ୍ରମ କରିବା ପାଇଁ ପଦକ୍ଷେପ ନିଆଯିବା ନେଇ ଆଲୋଚନା ହୋଇଥିଲା। NEP 2020 ଅଧୀନରେ ବ୍ୟାପକ ବିଦ୍ୟାଳୟ ବନ୍ଦ, ଶିକ୍ଷା ବୃତ୍ତିର ଅଭାବ ଓ ତାହାର ବିଳମ୍ବିତ ବଣ୍ଟନ, ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଜାତିଗତ ଭେଦଭାବ ଶେଷ କରିବା ପାଇଁ ରୋହିତ ଆକ୍ଟ ର ଦାବି—ଏହି ସବୁ ପ୍ରସଙ୍ଗ କୁ ତୁରନ୍ତ ଗୁରୁତ୍ୱ ସହ ଉଠାଇବା ନିଷ୍ପତ୍ତି ହୋଇଥିଲା। ଛାତ୍ର ସମସ୍ୟା ଓ ବିସ୍ତୃତ ରାଜନୈତିକ ପ୍ରଶ୍ନଗୁଡ଼ିକୁ କେନ୍ଦ୍ର କରି ପ୍ରାଥମିକ ସ୍ତରରେ ଛାତ୍ର ଆନ୍ଦୋଳନ ଗଢ଼ି AIRSO କୁ ମଜବୁତ କରିବା ପାଇଁ ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରାଯାଇଥିଲା, ଯାହାର ଲକ୍ଷ୍ୟ ଥିଲା ଛାତ୍ର ଆନ୍ଦୋଳନକୁ ବିପ୍ଲବୀ ଦିଗ ନିର୍ଦ୍ଦେଶ ଦେବା।
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ଉପରେ ସଙ୍କଳ୍ପ ଗ୍ରହଣ କରାଯାଇଥିଲା—
ବ୍ରାହ୍ମଣବାଦୀ ଅଭିଯାନ ଓ ତାହାର ପରିଣାମସ୍ୱରୂପ UGC ନିୟମାବଳୀ ୨୦୨୬ କୁ ସ୍ତଗିତ କରିବାକୁ ଦୃଢ଼ଭାବେ ବିରୋଧ କରିବା ସହ ରୋହିତ ଆକ୍ଟ ପାଇଁ ସଂଘର୍ଷକୁ ଆଗେଇ ନେବା। UGC ନିୟମାବଳୀ ୨୦୨୬ ସ୍ତଗିତ ବିରୋଧରେ ୨୧ ଫେବୃଆରୀକୁ ସର୍ବଭାରତୀୟ ପ୍ରତିବାଦ ଦିବସ ଭାବେ ପାଳନ କରାଯିବ।
JNU ପ୍ରଶାସନ ଦ୍ୱାରା JNUSU ର ଚାରିଜଣ ପଦାଧିକାରୀ ସହ ୫ ଜଣ JNU ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟତୁ ବହିଷ୍କାର କରିବା ଫାସିବାଦୀ ପଦକ୍ଷେପ ବିରୋଧରେ ଦୃଢ଼ ସହଯୋଗ ଓ ଏକତା ପ୍ରଦର୍ଶନ କରିବା।
ସଭା ବିପ୍ଲବୀ ଗୀତ ଓ ନାରା ସହ ସମାପ୍ତ ହୋଇଥିଲା।
ଇନ୍କିଲାବ ଜିନ୍ଦାବାଦ!
AIRSO COC