22/08/2026
ଓଡ଼ିଶାର ସମ୍ପତ୍ତି କାହାର? ୧ ଲକ୍ଷ କୋଟିର ମହାଲଢ଼େଇ ଏବଂ ଓଡ଼ିଆ ଅସ୍ମିତାର ଅଗ୍ନିପରୀକ୍ଷା
ବିଶ୍ୱର ଯେକୌଣସି କୋଣରେ ଥାନ୍ତୁ ନା କାହିଁକି, ପ୍ରତିଟି ଓଡ଼ିଆର ରକ୍ତରେ ଜଗନ୍ନାଥ ସଂସ୍କୃତି ସହ ମାଟି ଓ ଖଣିଜ ସମ୍ପଦର ମହକ ରହିଛି । କିନ୍ତୁ ଆଜି ସେହି ସମ୍ପଦ ଉପରେ ଏକ ବଡ଼ କର୍ପୋରେଟ୍ ଷଡ଼ଯନ୍ତ୍ରର କଳାବାଦଲ ଘୋଟି ଆସିଛି, ଯାହା ବିଷୟରେ ଜାଣିବା ପ୍ରତ୍ୟେକ ଓଡ଼ିଆ ପାଇଁ ଅତ୍ୟନ୍ତ ଜରୁରୀ ।
ଓଡ଼ିଶାର ନିଜସ୍ୱ ORISED ଆଇନ (୨୦୦୪)
ଘଟଣାର ଆରମ୍ଭ ୨୦୦୪ ମସିହାରେ ହୋଇଥିଲା । ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ଏବଂ ଖଣି ଅଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର "ଓଡ଼ିଶା ଗ୍ରାମ୍ୟ ଭିତ୍ତିଭୂମି ଏବଂ ସାମାଜିକ-ଅର୍ଥନୈତିକ ବିକାଶ (ORISED) ଆଇନ, ୨୦୦୪" ପ୍ରଣୟନ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଖଣିଜ ଜମି ଉପରେ ଏକ ସ୍ଥାନୀୟ ଟିକସ ଲଗାଇ ରାଜ୍ୟର ବିକାଶ କରିବା । କିନ୍ତୁ ଟାଟା ଷ୍ଟିଲ୍, ବେଦାନ୍ତ ଏବଂ କେନ୍ଦ୍ରୀୟ ଖଣି କମ୍ପାନୀ (PSUs) ଭଳି କର୍ପୋରେଟ୍ ମାଫିଆମାନେ ୧୯୮୯ର ଏକ ପୁରୁଣା କୋର୍ଟ ନିର୍ଦ୍ଦେଶକୁ ଆଳ କରି କୋର୍ଟରେ ଏହି ଆଇନ ଉପରେ ରୋକ ଲଗାଇ ଦେଇଥିଲେ । ବିଗତ ୨୦ ବର୍ଷ ଧରି ଓଡ଼ିଶାର ନ୍ୟାଯ୍ୟ ହକ କୋର୍ଟର ଫାଇଲ ତଳେ ଚାପି ହୋଇ ରହିଥିଲା ।
୪ ଜୁନ୍ ୨୦୨୪: ରାଜନୈତିକ ପରିବର୍ତ୍ତନ ଓ ଆଶାର କିରଣ
୪ ଜୁନ୍ ୨୦୨୪ରେ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ହେଲା ଏବଂ ଓଡ଼ିଆ ଅସ୍ମିତା ଓ ପ୍ରଗତିର ନାରା ଦେଇ ରାଜ୍ୟରେ ବିଜେପି ସରକାର ଗଠନ ହେଲା । ଓଡ଼ିଶାବାସୀ ଆଶା କରିଥିଲେ ଯେ ନୂତନ ନେତୃତ୍ୱ ଆମ ମାଟିର ହକ୍ ପାଇଁ ଦିଲ୍ଲୀ ଦରବାରରେ ସ୍ୱର ଉତ୍ତୋଳନ କରିବେ ।
୨୫ ଜୁଲାଇ ଓ ୧୪ ଅଗଷ୍ଟ ୨୦୨୪: ସୁପ୍ରିମକୋର୍ଟରେ ଓଡ଼ିଶାର ଐତିହାସିକ ବିଜୟ
୨୫ ଜୁଲାଇ ୨୦୨୪ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସମ୍ବିଧାନ ପୀଠ MADA ବନାମ SAIL ମାମଲାରେ ଏକ ଯୁଗାନ୍ତକାରୀ ରାୟ ଦେଇ କହିଲେ ଯେ, "ଖଣିଜ ଜମି ଉପରେ ଟିକସ ଲଗାଇବାର ସାର୍ବଭୌମ ଅଧିକାର କେବଳ ରାଜ୍ୟର ଅଛି (ସମ୍ବିଧାନର ରାଜ୍ୟ ତାଲିକା Entry 49) ।"
ଏହାପରେ ୧୪ ଅଗଷ୍ଟ ୨୦୨୪ରେ କୋର୍ଟ ଆଉ ଏକ ଐତିହାସିକ ନିର୍ଦ୍ଦେଶ ଦେଇ ଓଡ଼ିଶାକୁ ୨୦୦୫ ମସିହାରୁ ବକେୟା ଥିବା ପୁରୁଣା ଟିକସ ରାଶି ଆଦାୟ କରିବାକୁ ଅନୁମତି ଦେଲେ । ଏହି ହିସାବ ଅନୁସାରେ ଓଡ଼ିଶା ଖଣି କମ୍ପାନୀଗୁଡ଼ିକଠାରୁ ପ୍ରାୟ ୧,୦୦,୦୦୦ କୋଟି (୧ ଲକ୍ଷ କୋଟି) ଟଙ୍କା ପାଇବାର ଅଧିକାର ପାଇଲା । ଏହି ଟଙ୍କା ଓଡ଼ିଶାର ପ୍ରତିଟି ଗାଁର ସ୍କୁଲ, ହସ୍ପିଟାଲ ଓ ରାସ୍ତାଘାଟର ଚେହେରା ବଦଳାଇ ଦେଇଥାନ୍ତା ।
୨ ବର୍ଷର ନୀରବତା ଓ ୧୩ ଅଗଷ୍ଟ ୨୦୨୬ର ବିଶ୍ୱାସଘାତକତା
ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ୱେ, ବିଗତ ଦୁଇ ବର୍ଷ ଧରି ରାଜ୍ୟ ସରକାର ଏହି ୧ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଲେ ନାହିଁ । କୌଣସି କଠୋର ନୋଟିସ ଜାରି କରାଗଲା ନାହିଁ ।
ଏହି ନୀରବତାର ରହସ୍ୟ ଖୋଲିଲା ୧୩ ଅଗଷ୍ଟ ୨୦୨୬ରେ, ଯେତେବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ବାଇପାସ୍ କରି ସଂସଦରେ MMDR ସଂଶୋଧନ ଆଇନ, ୨୦୨୬ ପାସ୍ କଲେ। ଏଥିରେ ଧାରା ୯D (Section 9D) ଯୋଡ଼ି ରାଜ୍ୟର ସ୍ୱାଧୀନ ଟିକସ କ୍ଷମତା ଉପରେ ପ୍ରତିବନ୍ଧକ ଲଗାଗଲା ଏବଂ ଓଡ଼ିଶାର ଏହି ୧ ଲକ୍ଷ କୋଟି ଟଙ୍କାର ପୁରୁଣା ବକେୟା ଦାବିକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରି ଦିଆଗଲା।
ଓଡ଼ିଶା କଣ କେବଳ କର୍ପୋରେଟ୍ ମାନଙ୍କର ଚରାଭୂଇଁ?
କେନ୍ଦ୍ର ସରକାରଙ୍କ ଏହି ନୂତନ ଆଇନ ଓଡ଼ିଶାର ଖଣିଜ ଜମିକୁ ନିଜ ପ୍ରତ୍ୟକ୍ଷ ନିୟନ୍ତ୍ରଣକୁ ନେଇଯାଉଛି (ଧାରା ୨) ଏବଂ ବିନା କୌଣସି ନୂତନ ନିଲାମରେ ବଡ଼ କମ୍ପାନୀମାନଙ୍କୁ ସୁନା, ଗ୍ରାଫାଇଟ୍ ଓ ନିକେଲ୍ ଭଳି ମୂଲ୍ୟବାନ ଖଣିଜ ଲୁଟିବାକୁ ସୁଯୋଗ ଦେଉଛି (ଧାରା ୯B/୯C) । ଆମ ମାଟିର ସମ୍ପଦକୁ ବ୍ୟବହାର କରି ଗୁଜରାଟ, ମହାରାଷ୍ଟ୍ର କିମ୍ବା ରାଜସ୍ଥାନ ଭଳି ଅଣ-ଖଣି ସମୃଦ୍ଧ ରାଜ୍ୟଗୁଡ଼ିକ ଉପକୃତ ହେଉଥିବା ବେଳେ ଓଡ଼ିଶାର ରାଜକୋଷ ଆଜି ଶୂନ୍ୟ ହେବାକୁ ବସିଛି ।
ପାକିସ୍ତାନ ଯେଭଳି ବଲୁଚିସ୍ତାନର ପ୍ରାକୃତିକ ସମ୍ପଦକୁ ଲୁଟ୍ କରିବା ପାଇଁ ସେହି ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଛି, ଆଜି MMDR ୨୦୨୬ ଆଇନ ମାଧ୍ୟମରେ କଣ ଓଡ଼ିଶା ସହ ସେଭଳି କିଛି ଘଟୁନାହିଁ ତ?
ଆଜି ବିଶ୍ୱବ୍ୟାପୀ ଓଡ଼ିଆ ସମାଜକୁ ଏକଜୁଟ ହୋଇ ପ୍ରଶ୍ନ ପଚାରିବାକୁ ହେବ, ସୁପ୍ରିମକୋର୍ଟ ଦେଇଥିବା ରାଜ୍ୟର ସାମ୍ବିଧାନିକ ଅଧିକାରକୁ କର୍ପୋରେଟ୍ ସ୍ୱାର୍ଥ ପାଇଁ ବଳି ଦିଆଯିବା କେତେଦୂର ନ୍ୟାୟସଙ୍ଗତ? ଓଡ଼ିଶା କଣ ନିଜ ଅଧିକାର ପାଇଁ ପୁଣିଥରେ ସୁପ୍ରିମକୋର୍ଟରେ ଲଢ଼େଇ କରିବ ନା ନିଜ ସମ୍ପତ୍ତିକୁ ଅନ୍ୟ ହାତକୁ ଟେକିଦେଇ ନୀରବଦ୍ରଷ୍ଟା ସାଜିବ? ଜାଗିବାର ସମୟ ଆସିଛି, ଆମ ମାଟି ଆମ ଅଧିକାର!
: ସଞ୍ଜୟ ଉବାଚ